ଭୁବନେଶ୍ୱର: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଫଳରେ ଦେଶ ଓ ରାଜ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର କୃତ୍ରିମ ଅଭାବ ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ Mohan Majhi ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ସରକାର ପକ୍ଷରୁ ଜଣାଯାଇଛି ଯେ ରାଜ୍ୟରେ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଅଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରନ୍ଧନ ଗ୍ୟାସ ସହ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ କରାଯାଉନାହିଁ ବୋଲି ସତର୍କ ରହିବା ଆବଶ୍ୟକ। ଏଥିପାଇଁ ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରବି ଋତୁ ଚାଷ ପାଇଁ ପର୍ଯ୍ୟାପ୍ତ ସାର ମହଜୁଦ ରଖିବାକୁ ମଧ୍ୟ Mohan Majhi ଗୁରୁତ୍ୱ ଦେଇଛନ୍ତି। ଲୋକମାନେ ଯେପରି ଏହି ପରିସ୍ଥିତିକୁ ନେଇ ଆତଙ୍କିତ ନହୁଅନ୍ତି, ସେଥିପାଇଁ ସରକାରୀସ୍ତରରେ ସଚେତନତା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ପାଇଁ ଭାରତ ଅଧିକାଂଶ ଗଲ୍ଫ ଦେଶମାନଙ୍କ ଉପରେ ନିର୍ଭର କରେ। ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଜାରି ରହିଲେ ଏହାର ପ୍ରଭାବ ଇନ୍ଧନ ଯୋଗାଣ ଉପରେ ପଡ଼ିପାରେ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଯଥେଷ୍ଟ ମଜୁତ ଓ ସୁଚାରୁ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ହେମନ୍ତ ଶର୍ମା, ଶାଶ୍ୱତ ମିଶ୍ର, ଉଷା ପାଢ଼ୀ, ବିଶାଲ କୁମାର ଦେବ, ସଞ୍ଜୟ କୁମାର ସିଂହ ଓ ସଚିନ ରାମଚନ୍ଦ୍ର ଯାଦବ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।