ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ତଣ୍ଟାପୂର୍ଣ୍ଣ ପରିସ୍ଥିତିକୁ ମଧ୍ୟନଜରରେ ରଖି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି। ଏହି ଗୋଷ୍ଠୀର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନେବେ। ଗୋଷ୍ଠୀରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସମେତ ଅନ୍ୟ ଶୀର୍ଷ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ, ଏହି ଗୋଷ୍ଠୀ ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବକୁ ଦେଶର ଅର୍ଥନୀତି, ଇନ୍ଧନ ଯୋଗାଣ ଓ ସାମଗ୍ରିକ ସୁରକ୍ଷା ଉପରେ ନଜର ରଖିବ ଏବଂ ଆବଶ୍ୟକ ପଦକ୍ଷେପ ସୁପାରିଶ କରିବ।
ଏହି ପରିପ୍ରେକ୍ଷିତରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କରେ ପରିବର୍ତ୍ତନ କରିଛନ୍ତି। ପେଟ୍ରୋଲ ଉପରେ ଲିଟର ପିଛା ୩ ଟଙ୍କା କମାଯାଇଥିବା ବେଳେ ଡିଜେଲ ଉପରେ ଏହାକୁ ଶୂନ୍ୟକୁ ଆଣାଯାଇଛି। ସେହିପରି ଡିଜେଲ ରପ୍ତାନି ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ ଲିଟର ପିଛା ୨୧.୫ ଟଙ୍କା ଧାର୍ଯ୍ୟ କରାଯାଇଛି।
ବିମାନ ଚଳାଚଳ କ୍ଷେତ୍ରକୁ ଧ୍ୟାନରେ ରଖି ବିମାନ ଟର୍ବାଇନ୍ ଇନ୍ଧନ (ATF) ଉପରେ ମଧ୍ୟ ନୂତନ କର ବ୍ୟବସ୍ଥା ଆଣାଯାଇଛି। ଏହା ଦ୍ୱାରା ବିମାନ କମ୍ପାନୀମାନଙ୍କର ଖର୍ଚ୍ଚ କମିବା ସହ ଉଡ଼ାଣ ଖର୍ଚ୍ଚରେ କିଛି ସ୍ଥିରତା ଆସିବ ବୋଲି ଆଶା କରାଯାଉଛି।
ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ମଜୁତ ରହିଛି ଏବଂ ସମସ୍ତ ପେଟ୍ରୋଲ ପମ୍ପ ସାଧାରଣ ଭାବେ କାମ କରୁଛି। ଏହିପରି ସ୍ଥିତିରେ ଗୁଜବରେ ପଡ଼ି ଅନାବଶ୍ୟକ ଭାବେ ଇନ୍ଧନ ସଂଗ୍ରହ ନ କରିବାକୁ ନାଗରିକମାନଙ୍କୁ ସରକାର ଅନୁରୋଧ କରିଛନ୍ତି।





