ନୂଆଦିଲ୍ଲୀ:
ଏଲ୍ପିଜି ସରବରାହରେ ବିଘାତ ଓ ଆନ୍ତର୍ଜାତୀୟ ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇ ବାଣିଜ୍ୟିକ ଏଲ୍ପିଜି କୋଟାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ଦ୍ୱାରା ଏଲ୍ପିଜି ଉପରେ ନିର୍ଭରଶୀଳ ଉଦ୍ୟୋଗଗୁଡ଼ିକୁ ଆର୍ଥିକ ଓ କାର୍ଯ୍ୟଚାଳନାରେ ଆରାମ ମିଳିବ ବୋଲି ସରକାର କହିଛନ୍ତି।
ସରକାର ସ୍ପଷ୍ଟ କରିଛନ୍ତି ଯେ ଇସ୍ପାତ, ଅଟୋମୋବାଇଲ୍, ବୟନ, ରଙ୍ଗ, ପ୍ଲାଷ୍ଟିକ୍ ଓ ରସାୟନ ଭଳି ଅଧିକ ଶ୍ରମଶକ୍ତି ନିୟୋଜିତ ଥିବା ୬ଟି ପ୍ରମୁଖ କ୍ଷେତ୍ରକୁ ଏଲ୍ପିଜି ଯୋଗାଣରେ ପ୍ରାଥମିକତା ଦିଆଯିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରିଣାମରେ ଗ୍ୟାସ୍ ଯୋଗାଣ ପ୍ରଭାବିତ ହେବାରୁ ପୂର୍ବରୁ ବାଣିଜ୍ୟିକ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା, ଯାହାକୁ ଏବେ ପର୍ଯ୍ୟାୟକ୍ରମେ କୋହଳ କରାଯାଉଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଡ଼. ନିରଜ ମିତ୍ତଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଚିଠି ଲେଖି ବାଣିଜ୍ୟିକ ଏଲ୍ପିଜି ଯୋଗାଣ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅତିରିକ୍ତ ୨୦ ପ୍ରତିଶତ କୋଟାର ଲାଭ ପାଇବା ପାଇଁ ବ୍ୟବସାୟୀ ପ୍ରତିଷ୍ଠାନମାନଙ୍କୁ ତେଲ କମ୍ପାନି ନିକଟରେ ପଞ୍ଜୀକରଣ କରିବା ସହ ନିଜ ଅଞ୍ଚଳରେ ପିଏନ୍ଜି ସଂଯୋଗ ପାଇଁ ଆବେଦନ କରିବାକୁ ପଡ଼ିବ।
ସରକାର ଏହା ମଧ୍ୟ କହିଛନ୍ତି ଯେ ଶିଳ୍ପକୁ ଧୀରେ ଧୀରେ ଏଲ୍ପିଜିରୁ ପିଏନ୍ଜି ଦିଗକୁ ଆଣିବା ଉଦ୍ଦେଶ୍ୟ ରହିଛି। କିନ୍ତୁ ଯେଉଁ ଉଦ୍ୟୋଗରେ ପିଏନ୍ଜି ଦ୍ୱାରା ଆବଶ୍ୟକ ଉତ୍ତାପ ପୂରଣ ସମ୍ଭବ ନୁହେଁ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପିଏନ୍ଜି ନେବାକୁ କୁହାଯିବ ନାହିଁ ଏବଂ ସେମାନେ ଅତିରିକ୍ତ ଏଲ୍ପିଜି କୋଟାର ଲାଭ ଉଠାଇପାରିବେ।
ପୂର୍ବରୁ ଜାରି ହୋଇଥିବା ୨୦ ପ୍ରତିଶତ ଅତିରିକ୍ତ କୋଟାରେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ୍, ଶିଳ୍ପ କ୍ୟାଣ୍ଟିନ ଓ ଖାଦ୍ୟ ପ୍ରସ୍ତୁତି ଶିଳ୍ପକୁ ପ୍ରାଥମିକତା ଦିଆଯାଇଥିଲା। ସେଥିସହିତ ସମୁଦାୟ ରସୋଇଘର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜିର ଛୋଟ ସିଲିଣ୍ଡର ବିତରଣ ମଧ୍ୟ ଚାଲିଛି।
ମଧ୍ୟପ୍ରାଚ୍ୟର ତିବ୍ର ପରିସ୍ଥିତି ଓ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାରୁ ତେଲ ଓ ଗ୍ୟାସ୍ ଆମଦାନିରେ ସମସ୍ୟା ହୋଇଥିବା ସତ୍ତ୍ୱେ ସରକାର ଆଶ୍ୱାସନା ଦେଇଛନ୍ତି ଯେ ଦେଶରେ ଇନ୍ଧନର କୌଣସି ଅଭାବ ନାହିଁ। ନିୟମିତ ଭାବେ ଜାହାଜ ଆସୁଛି ଏବଂ ସରବରାହ ସ୍ଥିର ରହିଛି। ଗୁଜବରେ ବିଶ୍ୱାସ ନକରିବାକୁ ଲୋକମାନଙ୍କୁ ସରକାର ଅନୁରୋଧ କରିଛନ୍ତି।





