ନୟାଗଡ଼: ହରିଶଙ୍କର ଦର୍ଶନ ପାଇଁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏକ ଦୁଃଖଦ ଘଟଣା ଘଟିଛି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳ ଟାକେରା ଘାଟି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ଏହାସହିତ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ବ୍ରହ୍ମପୁରରୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ‘ଅନିଲ୍’ ନାମକ ଏକ ଘରୋଇ ବସ୍ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ମନ୍ଦିରକୁ ଯାଉଥିଲା। ରାତି ସମୟରେ ହନୁମାନଘାଟି ନିକଟରେ ବୁଲାଣୀ ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ଏକ ବଡ଼ ପଥରକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ବସ୍ ଭିତରେ ଥିବା ଯାତ୍ରୀମାନେ ଛିଟିକି ପଡ଼ିଥିବା ସହ କେତେକ ଲୋକ ବସ୍ ତଳେ ଅଟକି ପଡ଼ିଥିଲେ।
ଘଟଣା ସୂଚନା ପାଇ ପୁଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ ତୁରନ୍ତ ସ୍ଥଳକୁ ପହଞ୍ଚିଥିଲେ। ଗ୍ୟାସ୍ କଟର ସହାୟତାରେ ବସ୍କୁ କାଟି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଓ ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା।
ପରେ ୧୫ ଜଣ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକମାନଙ୍କ ମଧ୍ୟରେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ପ୍ରବୀଣ ସାହୁ ଥିବା ଜଣାପଡ଼ିଛି।
ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ପରେ ମୃତକମାନଙ୍କ ପରିବାରରେ ଶୋକର ଛାୟା ପସରିଛି।





