ରାଉରକେଲା:ରାଉରକେଲାରେ ଅଲଗା ଅଲଗା ସଡ଼କ ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଇଟି ଘଟଣା ସହରରେ ଚିନ୍ତାର ପରିସ୍ଥିତି ସୃଷ୍ଟି କରିଛି।
ଢାବା ଭିତରକୁ ପଶିଗଲା କାର, ୨ ମୃତ
କୁଆଁରମୁଣ୍ଡା ରାସ୍ତାର ଯମୁନାଢ଼ିପା ନିକଟରେ ଭୋର ପ୍ରାୟ ୩ଟା ସମୟରେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ରାଞ୍ଚିରୁ ରାଉରକେଲା ଫେରୁଥିବା ଏକ କାର ନିୟନ୍ତ୍ରଣ ହରାଇ ସୋନୁ ଢାବା ଭିତରକୁ ପଶିଯାଇଥିଲା।
ଏହି ଦୁର୍ଘଟଣାରେ ଚାଳକ ସମେତ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଛେଣ୍ଡ କଲୋନିର କୁନାଲ ନାୟକ (୨୨) ଓ ମୋହିତ ମହାତୋ (୨୨)। ଅନ୍ୟ ଜଣେ ଯୁବକ ସମୀର ନାୟକ ଗୁରୁତର ଆହତ ହୋଇ ବେଦବ୍ୟାସ ଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।
ଘଟଣାସ୍ଥଳକୁ ପହଞ୍ଚି କୁଆଁରମୁଣ୍ଡା ପୁଲିସ ଦୁଇଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ କାରକୁ ମଧ୍ୟ ଜବତ କରାଯାଇଛି। ଢାବା ବନ୍ଦ ଥିବାରୁ ବଡ଼ ଦୁର୍ଘଟଣା ଟଳିଥିବା କୁହାଯାଉଛି।
ଟ୍ରକ୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ
ଅନ୍ୟପଟେ, ସକାଳ ପ୍ରାୟ ସାଢେ ୭ଟା ସମୟରେ ଡିଏଭି ଛକରେ ଏକ ଦ୍ରୁତଗାମୀ ଟ୍ରକ୍ ସାଇକେଲ ଚଳାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ସେକ୍ଟର-୬ର ସୁମନ ନାୟକ (୨୩) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଉଦିତନଗର ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣା ପ୍ରବଣ ଅଞ୍ଚଳ ନେଇ ଚିନ୍ତା
ଡିଏଭି ଛକ ଏକ ବ୍ୟସ୍ତ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ସ୍କୁଲ, କଲେଜ ଓ ଟେକ୍ନିକାଲ୍ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଯଦିଓ ଏଠାରେ ପୂର୍ବରୁ ଟ୍ରାଫିକ୍ ସିଗ୍ନାଲ ବ୍ୟବସ୍ଥା ରହିଛି, ତଥାପି ସୁରକ୍ଷା ବୃଦ୍ଧି ପାଇଁ ଅତିରିକ୍ତ ଟ୍ରାଫିକ୍ କର୍ମଚାରୀ ନିଯୁକ୍ତି ପାଇଁ ଦାବି ଜୋରଦାର ହୋଇଛି।





