ଜୟପୁର: ରାଜସ୍ଥାନରେ ଜଳ ଜୀବନ ମିଶନ ସମ୍ବନ୍ଧୀୟ ବିଶାଳ ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଗୁରୁତ୍ୱପୂର୍ଣ୍ଣ ସଫଳତା ଲାଭ କରିଛି। ଦୀର୍ଘ ସମୟ ଧରି ଫେରାର ଥିବା ପୂର୍ବତନ IAS ଅଧିକାରୀ ସୁବୋଧ ଅଗ୍ରୱାଲଙ୍କୁ ଗୁରୁବାର ଦିଲ୍ଲୀରୁ ଗିରଫ କରାଯାଇଛି। ପରେ ତାଙ୍କୁ ଜୟପୁରକୁ ଆଣି ACB ମୁଖ୍ୟାଳୟରେ ପଚରାଉଚରା କରାଯାଇଛି।

ପ୍ରାୟ ୯୦୦ କୋଟି ଟଙ୍କାର ଏହି ଦୁର୍ନୀତି ମାମଲାରେ ଅଗ୍ରୱାଲଙ୍କ ବିରୋଧରେ ପୂର୍ବରୁ ଗିରଫ ପରୱାନା ଜାରି ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ୯ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଅନ୍ୟ ୩ ଜଣ ଏବେ ମଧ୍ୟ ଫେରାର ଅଛନ୍ତି।

ACB ଅନୁଯାୟୀ, ଟେଣ୍ଡର ପ୍ରକ୍ରିୟାରେ ବଡ଼ ପରିମାଣର ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି। ଗଣପତି ଟ୍ୟୁବୱେଲ ଓ ଶ୍ୟାମ ଟ୍ୟୁବୱେଲ ସହ ଅନେକ ସଂସ୍ଥା ନକଲି ପ୍ରମାଣପତ୍ର ଦାଖଲ କରି ଚୁକ୍ତି ହାସଲ କରିଥିବା ଅଭିଯୋଗ ରହିଛି। ଏହି ବିସଙ୍ଗତି ସମ୍ପର୍କରେ ଜଣା ସତ୍ତ୍ୱେ ଅଧିକାରୀମାନେ ପଦକ୍ଷେପ ନ ନେବାରୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥାଙ୍କୁ ଅନୁଚିତ ଲାଭ ମିଳିଥିଲା।

ଏହା ସହିତ, ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ଆବଶ୍ୟକ ଥିବା ସ୍ଥଳ ଯାଞ୍ଚ ନ କରାଯିବା ମଧ୍ୟ ସମ୍ମୁଖରେ ଆସିଛି, ଯାହା ଦ୍ୱାରା ପଦବୀର ଦୁର୍ବ୍ୟବହାର ସୂଚିତ ହେଉଛି। ଚଳିତ ବର୍ଷ ଫେବ୍ରୁଆରି ୧୭ରେ ACB ଏହି ମାମଲାରେ ବିଭିନ୍ନ ରାଜ୍ୟର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା।

ତଦନ୍ତରେ ନକଲି ବିଲ୍‌, ଆର୍ଥିକ ଅନିୟମିତତା ଓ ପ୍ରକ୍ରିୟାଗତ ଉଲ୍ଲଂଘନ ସମ୍ବନ୍ଧୀୟ ତଥ୍ୟ ମିଳିଛି। ଅଗ୍ରୱାଲ ଫେରାର ଥିବାରୁ ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ଉଲ୍ଲେଖନୀୟ, କଂଗ୍ରେସ ଶାସନକାଳୀନ ସମୟରେ ଘଟିଥିବା ଏହି ଦୁର୍ନୀତି ସମୟରେ ଅଗ୍ରୱାଲ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ। ACB ଅଭିଯୋଗ କରିଛି ଯେ, ତାଙ୍କ ସହ ଅନ୍ୟମାନେ ମିଶି ପ୍ରାୟ ୯୬୦ କୋଟି ଟଙ୍କାର ଭୁଲ ପ୍ରମାଣପତ୍ର ଦ୍ୱାରା ଠିକା ପାଇ ଅର୍ଥ ଅପହରଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଯୋଜନା ଆରମ୍ଭ କରିଥିଲେ।