କାଙ୍କେର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ନଷ୍ଟ ହୋଇଛି। କୋତୱାଲି ଥାନା ଅଞ୍ଚଳର ନାଥିଆ ନବାଗାଓଁ ନିକଟରେ ଦୁଇଟି କାର୍‌ର ମୁହାଁମୁହିଁ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ପୋଲିସ ଅନୁସାରେ, ଦୁର୍ଘଟଣାରେ ତିନି ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ଶିଶୁ ମୃତ୍ୟୁବରଣ କରିଛନ୍ତି। ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟ ଗାଡ଼ି ଭାଙ୍ଗିଚୁରି ଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚରାମା ଅଞ୍ଚଳର ମାଣ୍ଡଭୀ ପରିବାରର ସଦସ୍ୟମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡ଼ି ସହ ଧକ୍କା ଲାଗିଥିଲା।

ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ କାଙ୍କେର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଉଦ୍ଧାର ଦଳ ତୁରନ୍ତ ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ତଦନ୍ତ ଆରମ୍ଭ କରିଛନ୍ତି।

ଆହତମାନଙ୍କ ଅବସ୍ଥା ସୁଧାର ହେବା ପରେ ସେମାନଙ୍କର ବୟାନ ଆଧାରରେ ଦୁର୍ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପ୍ରଶାସନ କହିଛି।