ପାଟନା: ପ୍ରଧାନମନ୍ତ୍ରୀ Narendra Modiଙ୍କ ସୁରକ୍ଷା ସମ୍ପର୍କିତ ସଂବେଦନଶୀଳ ସୂଚନା ବିଦେଶୀ ସଂସ୍ଥାକୁ ପ୍ରଦାନ କରିବା ଚେଷ୍ଟା ଅଭିଯୋଗରେ ବିହାରର ବକ୍ସର ଜିଲ୍ଲାରୁ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅମଲ କୁମାର ତିୱାରୀ ବିଦେଶୀ ଗୁଇନ୍ଦା ସଂସ୍ଥାର ୱେବସାଇଟକୁ ସନ୍ଦେଶ ପଠାଇଥିଲେ। ସେ ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇପାରିବେ ବୋଲି ଦାବି କରିଥିବା ତଦନ୍ତରୁ ପ୍ରକାଶ ପାଇଛି।

ଗୁରୁବାର ରାତିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ତାଙ୍କ ଘରୁ ଗୋଟିଏ ଲାପଟପ୍‌, ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଜବତ କରାଯାଇଛି।

ତଦନ୍ତକାରୀ ଦଳ ତାଙ୍କ ମୋବାଇଲରେ ଅନେକ VPN ଏବଂ ଡାର୍କ ୱେବ୍‌ ଆକ୍ସେସ୍‌ ପାଇଁ ବ୍ୟବହୃତ ଆପ୍‌ ପାଇଥିବା ଜଣାପଡ଼ିଛି। ସେଥିସହିତ ତାଙ୍କ ପାଖରୁ ଜାଲ ପ୍ରମାଣପତ୍ର ମଧ୍ୟ ଉଦ୍ଧାର ହୋଇଛି, ଯାହା ସାଇବର ଅପରାଧରେ ବ୍ୟବହୃତ ହେଉଥିଲା।

ଜେରା ବେଳେ ତିୱାରୀ ନିଜ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି। ଏହା ପୂର୍ବରୁ ମଧ୍ୟ ସେ କୋଲକାତା ବିମାନବନ୍ଦରର ୱେବସାଇଟ୍‌ ହ୍ୟାକ୍‌ କରିବାକୁ ଧମକ ଦେଇ ଗିରଫ ହୋଇଥିଲେ।

ବର୍ତ୍ତମାନ ପୁଲିସ ସହ କେନ୍ଦ୍ରୀୟ ଏଜେନ୍ସିମାନେ ମିଳି ଘଟଣାର ଗଭୀର ତଦନ୍ତ କରୁଥିବାବେଳେ, ଏହାର ପଛରେ ଅନ୍ୟ କୌଣସି ନେଟୱର୍କ ରହିଛି କି ନାହିଁ ତାହା ଖୋଜାଯାଉଛି।