ଭୁବନେଶ୍ୱର: ଦେଶରେ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ଆସନ ସଂଖ୍ୟାକୁ ପ୍ରାୟ ୫୦% ବଢ଼ାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ନେଇଥିବା ବେଳେ, ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖାଯିବାକୁ ଯାଉଛି। ଆସନ୍ତା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଡିଲିମିଟେସନ୍‌ ବିଲ୍‌, ୨୦୨୬’ ଉପସ୍ଥାପିତ ହେବାକୁ ଥିବା ସୂଚନା ମିଳିଛି।

ଏହି ପ୍ରସ୍ତାବ ଅନୁଯାୟୀ, ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୫୦କୁ ପହଞ୍ଚିପାରେ। ଏହାର ପ୍ରଭାବରେ ଓଡ଼ିଶାରେ ଲୋକସଭା ଆସନ ୨୧ରୁ ବଢ଼ି ୩୧ କିମ୍ବା ୩୨ ହେବା ସମ୍ଭାବନା ରହିଛି। ସେହିପରି ବିଧାନସଭା ଆସନ ସଂଖ୍ୟାରେ ମଧ୍ୟ ପ୍ରାୟ ୭୩ରୁ ୭୪ଟି ବୃଦ୍ଧି ହୋଇ ସମୁଦାୟ ସଂଖ୍ୟା ୨୨୦ କିମ୍ବା ୨୨୧କୁ ପହଞ୍ଚିପାରେ।

ଏହି ସମ୍ଭାବ୍ୟ ବୃଦ୍ଧିକୁ ନେଇ ରାଜ୍ୟର ରାଜନୈତିକ ମଞ୍ଚରେ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ, କେଉଁ କେଉଁ ଅଞ୍ଚଳରେ ନୂତନ ଆସନ ସୃଷ୍ଟି ହେବ ସେନେଇ ଅନୁମାନ ଆରମ୍ଭ ହୋଇଛି। ବିଶେଷକରି ଭୁବନେଶ୍ୱର, କଟକ ଏବଂ କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ) ଅଞ୍ଚଳରେ ଅଧିକ ଆସନ ଗଠନ ହେବାର ସମ୍ଭାବନା ରହିଛି।

ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ କେତେକ ବର୍ତ୍ତମାନ ଲୋକସଭା ଆସନ ଭାଙ୍ଗି ନୂତନ ଆସନ ସୃଷ୍ଟି ହେବା ନିଶ୍ଚିତ ହେଉଛି। ଆସିକା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ଆସନଗୁଡିକ ପ୍ରଭାବିତ ହୋଇପାରେ। ଏହା ପରେ ସେହି ଆଧାରରେ ବିଧାନସଭା ଆସନମାନଙ୍କର ମଧ୍ୟ ପୁନଃବିନ୍ୟାସ ହେବ।

ଏହା ସହ ଏହି ଅଧିବେଶନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମଧ୍ୟ ଆସିବାକୁ ଥିବା ବେଳେ, ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା ହେବ। ଏହା ୨୦୧୧ ଜନଗଣନା ଆଧାରରେ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି।

Biju Janata Dal (ବିଜେଡି) ପକ୍ଷରୁ ଏହି ବିଲ୍‌ର ସମୟ ଓ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିପାରେ। ତେବେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦଳ ସଦା ସକାରାତ୍ମକ ଭୂମିକା ନେଇଆସୁଥିବାରୁ, ଏହାକୁ ସମର୍ଥନ କରିବା ସମ୍ଭାବନା ଅଧିକ।

ଅନ୍ୟପଟେ, ଆଗାମୀ ୨୦୨୯ ସାଧାରଣ ନିର୍ବାଚନକୁ ନଜରରେ ରଖି ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ରାଜନୀତିକ ସମୀକରଣକୁ ପ୍ରଭାବିତ କରିପାରେ ବୋଲି ମତ ଦିଆଯାଉଛି।