ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଣିକି ଭକ୍ତମାନେ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ନହୋଇ ‘ସ୍ଲଟ୍-ବେସ୍ଡ ବୁକିଂ’ (Slot-based Booking) ମାଧ୍ୟମରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏକ ଅନଲାଇନ୍ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି। ଏଠାରେ ଭକ୍ତମାନେ ନିଜ ପସନ୍ଦର ସମୟ ଅନୁସାରେ ଦର୍ଶନ ପାଇଁ ସ୍ଲଟ୍ ବୁକ୍ କରିପାରିବେ।
ନୂତନ ସ୍ଲଟ୍ ବ୍ୟବସ୍ଥା ସହିତ ପୂର୍ବରୁ ଚାଲିଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଯେଉଁମାନେ ସ୍ଲଟ୍ ବୁକ୍ କରିଥିବେ, ସେମାନେ ନିର୍ଦ୍ଧାରିତ ସମୟରେ ଏକ ସ୍ୱତନ୍ତ୍ର ହୋଲ୍ଡିଂ ଏରିଆ ଦେଇ ଦର୍ଶନ ପାଇଁ ଯାଇପାରିବେ।
ଭକ୍ତଙ୍କ ସୁବିଧା ପାଇଁ ନଟମଣ୍ଡପରେ ଏସି ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ସେବାୟତଙ୍କ ସହ ଆଲୋଚନା ପରେ ଏହି ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ।





