କୁର୍ନୁଲ: ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକମାନେ କର୍ଣ୍ଣାଟକର ବାସିନ୍ଦା ବୋଲି ପ୍ରାଥମିକ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୁର୍ଘଟଣା କର୍ଣ୍ଣାଟକ-ଆନ୍ଧ୍ର ପ୍ରଦେଶ ସୀମାନ୍ତ ନିକଟରେ ଜାତୀୟ ରାଜପଥ-୧୬୭ରେ ଧର୍ମପୁର ଟୋଲ୍ ପ୍ଲାଜାରୁ ପ୍ରାୟ ୮-୯ କିଲୋମିଟର ଦୂରରେ ଘଟିଥିଲା। ଏକ ପିକ୍ଅପ୍ ଗାଡ଼ିରେ ୨୧ ଜଣ ଶ୍ରଦ୍ଧାଳୁ ମନ୍ତ୍ରାଳୟମ୍ରେ ଥିବା ଶ୍ରୀ ଗୁରୁ ରାଘବେନ୍ଦ୍ର ସ୍ୱାମୀଙ୍କ ମନ୍ଦିରକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କଂକ୍ରିଟ୍ ଟ୍ୟାଙ୍କର୍ ଲରି ସହ ମୁହାଁମୁହିଁ ଧକ୍କା ଲାଗିଥିଲା।
ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ସମୟରେ ପ୍ରାଣ ହାରିଥିଲେ। ମୃତକମାନଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ୩ ବର୍ଷର ଶିଶୁ କନ୍ୟା ଏବଂ ୨ ଜଣ ପୁରୁଷ ରହିଛନ୍ତି।
ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ୟେମ୍ମିଗାନୁର୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଚାଲିଛି।
ଦୁର୍ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଟିଜି ଭରତ ଗୁପ୍ତା ଓ ବିସି ଜନାର୍ଦ୍ଦନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଥିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।




