ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳରେ ବଢ଼ୁଥିବା ଟ୍ରାଫିକ ସମସ୍ୟା ଏବଂ ପାର୍କିଂ ସଙ୍କଟକୁ ଦୂର କରିବା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ‘ଅର୍ବାନ ପାର୍କିଂ ପଲିସି-୨୦୨୬’ର ଚିଠା ପ୍ରସ୍ତୁତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଏଣିକି ନୂଆ ଗାଡ଼ି କିଣିବା ସମୟରେ ମାଲିକଙ୍କୁ ପାର୍କିଂ ପାଇଁ ଉପଯୁକ୍ତ ସ୍ଥାନ ଥିବା ନେଇ ପ୍ରମାଣପତ୍ର ବା ‘ପାର୍କିଂ ସାର୍ଟିଫିକେଟ୍’ ଦେବାକୁ ପଡ଼ିବ।
ଯଦି କାହା ପାଖରେ ପାର୍କିଂ ସ୍ଥାନ ନାହିଁ, ତେବେ ତାଙ୍କୁ ବ୍ୟକ୍ତିଗତ ଗାଡ଼ି କିଣିବାକୁ ଅନୁମତି ମିଳିନପାରେ କିମ୍ବା ପଞ୍ଜିକରଣରେ ସମସ୍ୟା ହୋଇପାରେ। ୧୨ ମିଟରରୁ କମ୍ ଓସାର ବିଶିଷ୍ଟ ରାସ୍ତାରେ କୌଣସି ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ।
ଚିଠା ପ୍ରସ୍ତାବ ଅନୁଯାୟୀ, ଅଫ୍-ଷ୍ଟ୍ରିଟ୍ ପାର୍କିଂ ତୁଳନାରେ ଅନ୍-ଷ୍ଟ୍ରିଟ୍ (ରାସ୍ତା ଉପରେ) ପାର୍କିଂ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ପାର୍କିଂ ସ୍ଲଟ୍ ବୁକିଂ ଏବଂ ଫି’ ପୈଠ ପାଇଁ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବ୍ୟବହାର କରାଯିବ।
ରାଜ୍ୟରେ ଗାଡ଼ି ସଂଖ୍ୟା ୨୦୨୩-୨୪ ସୁଦ୍ଧା ପ୍ରାୟ ୧.୫ କୋଟି ଅତିକ୍ରମ କରିଥିବାରୁ ଏହି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ସାଧାରଣ ଜନତା ଏହି ଚିଠା ନୀତି ଉପରେ ନିଜର ମତାମତ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଦେଇପାରିବେ।




