ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡିଛି ଯେ, ଜନ୍ମର ପ୍ରଥମ ୩ ମାସ କେବଳ ମା’ କ୍ଷୀର ଖାଉଥିବା ପିଲାମାନଙ୍କ ଶରୀରରେ କିଛି ସ୍ୱତନ୍ତ୍ର DNA ପରିବର୍ତ୍ତନ ଦେଖାଯାଏ।ଶିଶୁର DNA ଉପରେ ପଡୁଛି ମା’ କ୍ଷୀରର ପ୍ରଭାବ; ନୂତନ ଗବେଷଣାରୁ ଆସିଲା ଚମକାଇଲା ଭଳି ତଥ୍ୟ। ମା’ କ୍ଷୀର ପିଉଥିବା ପିଲାଙ୍କ ଶରୀରରେ ଦେଖାଯାଉଛି ସ୍ୱତନ୍ତ୍ର ‘ଜୈବିକ ଚିହ୍ନ’; ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସହାୟକ।
ଶିଶୁ ପାଇଁ ମା’ କ୍ଷୀର ଅମୃତ ସମାନ ବୋଲି କୁହାଯାଏ, କିନ୍ତୁ ବର୍ତ୍ତମାନ ଏହା ବିଜ୍ଞାନ ସମ୍ମତ ଭାବେ ପ୍ରମାଣିତ ହୋଇଛି ଯେ ଏହା ପିଲାମାନଙ୍କର ଜେନେଟିକ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏକ ବୃହତ ଅନ୍ତର୍ଜାତୀୟ ଅଧ୍ୟୟନ ଅନୁଯାୟୀ, ଯେଉଁ ପିଲାମାନେ ଜନ୍ମର ପ୍ରଥମ ତିନି ମାସ କେବଳ ମା’ କ୍ଷୀର (Exclusive Breastfeeding) ସେବନ କରନ୍ତି, ସେମାନଙ୍କ DNA ରେ କିଛି ସ୍ୱତନ୍ତ୍ର ‘ଏପିଜେନେଟିକ ମାର୍କର୍ସ’ (Epigenetic Markers) ଦେଖାଯାଇଥାଏ।
ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ ହେଲଥ, ଏକ୍ସଟର ବିଶ୍ୱବିଦ୍ୟାଳୟ ଏବଂ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରାୟ ୩,୪୦୦ ରୁ ଅଧିକ ପିଲାଙ୍କ ରକ୍ତ ନମୁନା ପରୀକ୍ଷା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।ଏହି ପରିବର୍ତ୍ତନଗୁଡ଼ିକ DNA ର ମୂଳ କୋଡ୍ ବଦଳାନ୍ତି ନାହିଁ, ବରଂ ଶରୀରର ଜିନ୍ (Genes) ଗୁଡ଼ିକ କିପରି କାମ କରିବେ ତାହା ନିର୍ଦ୍ଧାରଣ କରନ୍ତି। ଏହାକୁ ‘DNA Methylation’ ବୋଲି କୁହାଯାଏ।ଗବେଷକଙ୍କ ଅନୁଯାୟୀ, ଏହି ପରିବର୍ତ୍ତନଗୁଡ଼ିକ ଶିଶୁର ରୋଗ ପ୍ରତିରୋଧକ ଶକ୍ତି (Immunity) ଏବଂ ଶାରୀରିକ ବିକାଶ ସହ ଜଡ଼ିତ ଜିନ୍ ଗୁଡ଼ିକୁ ପ୍ରଭାବିତ କରିଥାଏ।
ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁ ଅବସ୍ଥାରେ ମିଳିଥିବା ଏହି ଜୈବିକ ସଙ୍କେତଗୁଡ଼ିକ ପିଲାଙ୍କୁ ୧୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ରକ୍ତରେ ଦେଖିବାକୁ ମିଳୁଛି।ଏହି ଅଧ୍ୟୟନର ସହ-ନେତୃତ୍ୱ ନେଉଥିବା ଡକ୍ଟର ଡୋରେଟା କାରାମାସ୍କି କହିଛନ୍ତି ଯେ, ଏହି ଫଳାଫଳ ପ୍ରମାଣିତ କରୁଛି ଯେ ମା’ କ୍ଷୀର କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ପିଲାଙ୍କ ଭବିଷ୍ୟତର ସ୍ୱାସ୍ଥ୍ୟ ପାଇଁ ଏକ ‘ଜୈବିକ ନିର୍ଦ୍ଦେଶାବଳୀ’ ସଦୃଶ କାମ କରେ। ଏହା ଶିଶୁର ବିକାଶ ପ୍ରକ୍ରିୟାକୁ ଏକ ସକାରାତ୍ମକ ଦିଗ ପ୍ରଦାନ କରିଥାଏ।




