ହାଇଦ୍ରାବାଦ: ମାଓବାଦୀ ଆନ୍ଦୋଳନକୁ ଆଉ ଏକ ବଡ଼ ଝଟକା ଲାଗିଛି। ତେଲେଙ୍ଗାନାରେ ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ଓରଫ ଭିଜାଙ୍କ ସହିତ ସମୁଦାୟ ୪୭ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ଅସ୍ତ୍ର ତ୍ୟାଗ କରି ମୂଳଧାରାକୁ ଫେରିବା ନିଷ୍ପତ୍ତି ନେଇଛନ୍ତି। ଆତ୍ମସମର୍ପଣ ସମୟରେ ଏମାନେ ମୋଟ ୩୨ଟି ଆଧୁନିକ ଅସ୍ତ୍ର ପୁଲିସଙ୍କୁ ହସ୍ତାନ୍ତର କରିଥିଲେ।

ସରକାର ପକ୍ଷରୁ ଏହି ନକ୍ସଲମାନଙ୍କ ମୁଣ୍ଡ ଉପରେ ସମୁଦାୟ ୧.୫ କୋଟି ଟଙ୍କାର ପୁରସ୍କାର ଘୋଷିତ ଥିଲା। ଆତ୍ମସମର୍ପଣ କରିଥିବା ମଧ୍ୟରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଶୀର୍ଷ ନେତାମାନେ ମଧ୍ୟ ରହିଛନ୍ତି, ଯାହା ଏହି ଘଟଣାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।

ହସ୍ତାନ୍ତର କରାଯାଇଥିବା ଅସ୍ତ୍ରମାନଙ୍କ ମଧ୍ୟରେ ଏଲଏମଜି, ଏକେ-୪୭, ଏସଏଲଆର, ଇନସାସ ରାଇଫଲ ସହିତ ଅନ୍ୟାନ୍ୟ ଗୁଳିବନ୍ଦୁକ ଓ ଗନ୍‌ ରହିଛି। ଏହା ମାଓବାଦୀମାନଙ୍କ ଶକ୍ତିରେ ଲକ୍ଷଣୀୟ କ୍ଷୟକୁ ପ୍ରଦର୍ଶିତ କରୁଛି।

ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଆତ୍ମସମର୍ପିତଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ବେଳେ, ସେମାନଙ୍କୁ ପୁନର୍ବାସ ଓ ଆତ୍ମନିର୍ଭର କରିବା ପାଇଁ ବିଶେଷ ପ୍ରୟାସ ହେବ ବୋଲି କୁହାଯାଇଛି।

ଉଲ୍ଲେଖନୀୟ ଯେ, ଗତ ତିନି ବର୍ଷରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିରେ କେନ୍ଦ୍ରୀୟ କମିଟି ଓ ରାଜ୍ୟ କମିଟି ସଦସ୍ୟମାନେ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ମାଓ ଆନ୍ଦୋଳନର କ୍ଷୟକୁ ସୂଚିତ କରୁଛି।