କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ଯୋଗୁଁ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ କଙ୍କାଳ ବ୍ୟାଙ୍କକୁ ଆଣିବା ଭଳି ଘଟଣାକୁ ସେ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବାରମ୍ବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଦୌଡ଼ିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀମାନେ ମୃତ୍ୟୁ ପ୍ରମାଣପତ୍ରକୁ ଗ୍ରହଣ ନକରି ‘ଖାତାଧାରୀଙ୍କୁ ସ୍ୱଶରୀରରେ ବ୍ୟାଙ୍କକୁ ଆଣିବା’ ପାଇଁ ଜିଦ୍ ଧରିଥିବା ଅଭିଯୋଗ ହୋଇଛି। ନିରୁପାୟ ହୋଇ ଜିତୁ ମୁଣ୍ଡା ନିଜ ଭଉଣୀଙ୍କୁ କବରରୁ ଖୋଳି ତାଙ୍କର କଙ୍କାଳ ବ୍ୟାଙ୍କକୁ ବୋହି ଆଣିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମନ୍ତ୍ରୀ ସୁରେଶ ପୂଜାରୀ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନହୀନ ଓ ଦୁର୍ଭାଗ୍ୟଜନକ ବୋଲି କହିଥିବା ବେଳେ “ଏଭଳି ଅମାନବୀୟ ଆଭିମୁଖ୍ୟ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ଏହାକୁ କେବଳ ଏକ ବିଚ୍ଛିନ୍ନ ଘଟଣା ଭାବେ ନଦେଖି ଦୋଷୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେବି।” ବୋଲି କହିଛନ୍ତି ।

ସେ ଜିଲ୍ଲା ପ୍ରଶାସନ ସହ ଏବାବଦରେ ଆଲୋଚନା କରିଛନ୍ତି ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଆଚରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ପ୍ରମାଣପତ୍ର ସତ୍ତ୍ୱେ କଙ୍କାଳ ଆଣିବାକୁ ବାଧ୍ୟ କରିବା ଭାରତରେ ଏକ ବିରଳ ଓ ଲଜ୍ଜାଜନକ ଘଟଣା ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରୁଛନ୍ତି ଏବଂ ଜିତୁ ମୁଣ୍ଡାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।