ଲସ ଆଞ୍ଜେଲସ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ପୁଣିଥରେ ଆମେରିକାର ଲୋକପ୍ରିୟ ଶୋ’ ‘ଦ ଟୁନାଇଟ୍ ଶୋ’ ଷ୍ଟାରିଂ ଜିମି ଫ୍ୟାଲନ୍‌’ (The Tonight Show Starring Jimmy Fallon) କୁ ଫେରିଛନ୍ତି। ୨୦୨୪ରେ ନିଜର ପ୍ରଥମ ଡେବ୍ୟୁ ପରେ ଏବେ ଦ୍ୱିତୀୟ ଥର ପାଇଁ ସେ ଏହି ଶୋ’ରେ ନଜର ଆସିଛନ୍ତି, ଯାହାର କିଛି ଝଲକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏହି ଏପିସୋଡର ଏକ ଭିଡିଓରେ ଦିଲଜିତ ହୋଷ୍ଟ ଜିମି ଫ୍ୟାଲନଙ୍କୁ ପଞ୍ଜାବୀ ନୃତ୍ୟ ‘ଭାଙ୍ଗଡା’ ଶିଖାଉଥିବାର ଦେଖିବାକୁ ମିଳିଛି। ଦୁହେଁ ଏକାଠି ନାଚିବା ସହ ବେଶ୍ ମଜାମସ୍ତି କରିଛନ୍ତି।ଶୋ’ର ଷ୍ଟୁଡିଓରୁ ଏକ ଭିଡିଓ ସେୟାର କରି ଦିଲଜିତ ତାଙ୍କ ଦଳର ସଦସ୍ୟଙ୍କ ସହ ମଜାଳିଆ ଢଙ୍ଗରେ କହିଛନ୍ତି, “କହିଥିଲି ନା ପଞ୍ଜାବୀମାନେ ଥରେ ଆସିଲେ ଏତେ ଶୀଘ୍ର ଯାଆନ୍ତି ନାହିଁ… ଜିମି ଫ୍ୟାଲନ୍ ଆସିଗଲେ ଓଏ!”

ଏହି ଅବସରରେ ଦିଲଜିତ ତାଙ୍କର ନୂଆ ଆଲବମ୍ ‘Aura’ର ହିଟ୍ ଟ୍ରାକ୍ ‘Morni’ ଉପରେ ଏକ ଦମଦାର ପରଫରମାନ୍ସ ଦେଇଥିଲେ।ଜିମି ଫ୍ୟାଲନ୍ ନିଜ ପକ୍ଷରୁ ଦିଲଜିତଙ୍କୁ ଏକ ହାତଲେଖା ‘ଥ୍ୟାଙ୍କ ୟୁ ନୋଟ୍’ ପଠାଇ ଶୋ’କୁ ପୁଣିଥରେ ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ନିକଟରେ ତାଙ୍କୁ ସୁପରହିଟ୍ ଫିଲ୍ମ ‘ବର୍ଡର ୨’ (Border 2) ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଫ୍ଲାଇଙ୍ଗ୍ ଅଫିସର ନିର୍ମଳଜିତ ସିଂହ ସେଖୋଁଙ୍କ ଭୂମିକାରେ ଅଭିନୟ କରିଥିଲେ।ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ‘ମେଁ ଓ୍ୱାପସ ଆଉଙ୍ଗା’ (Main Vaapas Aaunga), ଯାହା ୧୯୪୭ ଭାରତ ବିଭାଜନ ପୃଷ୍ଠଭୂମି ଉପରେ ଆଧାରିତ। ଏହା ଜୁନ୍ ୧୨, ୨୦୨୬ରେ ମୁକ୍ତିଲାଭ କରିବ।