କୁଜଙ୍ଗ: କୁଜଙ୍ଗ ଥାନା ଅଞ୍ଚଳରେ ଏକ ପିଲାଚୋରି ଚେଷ୍ଟାକୁ ସ୍ଥାନୀୟ ଲୋକଙ୍କ ସଚେତନତାରେ ବିଫଳ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଗାଁଲୋକ ସନ୍ଦେହ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ ଏବଂ ଶିଶୁକନ୍ୟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଶେଷଦେବ ବେହେରା ନାମକ ଜଣେ ବ୍ୟକ୍ତି ଦୁଇ ମହିଳା ସହଯୋଗୀଙ୍କ ସହିତ କୁଜଙ୍ଗ ଅଞ୍ଚଳର ମାଧପୁର ଗାଁକୁ ଆସିଥିଲେ। ଗାଁରେ ଖେଳୁଥିବା ନାବାଳିକାଙ୍କୁ ଚକଲେଟ ଦେବା ଲୋଭ ଦେଖାଇ ତାଙ୍କୁ ବାଇକ୍ରେ ବସାଇ ନେଇଥିଲେ। ପରେ ଜୟଶଙ୍ଖପୁର ରାସ୍ତାରେ ରୁହି ଅନ୍ୟ ସହଯୋଗୀମାନଙ୍କୁ ଲୋକେସନ ପଠାଇଥିବା ଜଣାପଡ଼ିଛି।
କିଛି ସମୟ ପରେ ଦୁଇ ମହିଳା ସହଯୋଗୀ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ପୁରୁଷ ଓ ଦୁଇ ଅପରିଚିତ ମହିଳାଙ୍କ ସହିତ ଛୋଟ ଝିଅକୁ ଦେଖି ଗାଁଲୋକ ସନ୍ଦେହ କରିଥିଲେ। ସେମାନେ ତୁରନ୍ତ ତିନିଜଣଙ୍କୁ ଘେରି ପଚରାଉଚରା କରିଥିଲେ।
ଏହି ସମୟରେ ନାବାଳିକାଙ୍କ ପରିବାର ମଧ୍ୟ ଝିଅକୁ ଖୋଜି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତି ସ୍ପଷ୍ଟ ହେବା ସହିତ ଲୋକମାନେ ଅଭିଯୁକ୍ତମାନଙ୍କୁ ଧରି ପୁଲିସକୁ ସୂଚନା ଦେଇଥିଲେ। ତେବେ ଏହି ଭିଡ଼ ଭିତରୁ ଜଣେ ମହିଳା ସହଯୋଗୀ ପଳାଇବାରେ ସଫଳ ହୋଇଥିଲେ।
ସ୍ଥାନୀୟ ଲୋକମାନେ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରି କୁଜଙ୍ଗ ଥାନାକୁ ନେଇଥିଲେ।
ଏନେଇ ନାବାଳିକାଙ୍କ ବାପା ରଞ୍ଜନ ବେହେରା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।




