ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ କୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ନକଲି ରିପୋର୍ଟର ପର୍ଦ୍ଦାଫାଶ କରିଛି ପ୍ରେସ ଇନଫରମେସନ ବ୍ୟୁରୋ (PIB) ର ଫ୍ୟାକ୍ଟ ଚେକ୍ ୟୁନିଟ୍। ଏହି ରିପୋର୍ଟଟି ଗୁପ୍ତଚର ବ୍ୟୁରୋ (IB) ର ଏକ ଆକଳନ ବୋଲି ମିଥ୍ୟା ଦାବି କରାଯାଉଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ ମାଧ୍ୟମରେ PIB Fact Check ସୂଚନା ଦେଇଛି ଯେ, “Preliminary Assessment of West Bengal Assembly Elections 2026” ଶୀର୍ଷକରେ ଏକ ରିପୋର୍ଟ ପ୍ରସାରିତ ହେଉଛି।

ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ ନକଲି ଅଟେ।ଗୁପ୍ତଚର ବ୍ୟୁରୋ (IB) ପକ୍ଷରୁ ଏଭଳି କୌଣସି ରିପୋର୍ଟ ଜାରି କରାଯାଇ ନାହିଁ।ଜନସାଧାରଣଙ୍କୁ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଏବଂ କେବଳ ସରକାରୀ ସୂତ୍ରରୁ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।

ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ନିର୍ବାଚନ କମିଶନ ଏବେ ବିଭିନ୍ନ ଅଭିଯୋଗର ସମୀକ୍ଷା କରୁଛନ୍ତି।

୭୭ଟି ବୁଥ୍ ଉପରେ ନଜର: ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ୭୭ଟି ବୁଥରେ ପୁନଃ ମତଦାନ (Repolling) ପାଇଁ ଦାବି ହୋଇଛି।

ସୁରକ୍ଷା ଯାଞ୍ଚ: ପ୍ରଭାବିତ ବୁଥଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଏବଂ ମତଦାନ ତଥ୍ୟକୁ ଅଧିକାରୀମାନେ ଅନୁଧ୍ୟାନ କରୁଛନ୍ତି।

ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ଏକ ଐତିହାସିକ ମତଦାନ ଦେଖିବାକୁ ମିଳିଛି।ଦ୍ୱିତୀୟ ପର୍ଯ୍ୟାୟରେ ୯୨.୬% ରୁ ଅଧିକ ମତଦାନ ହୋଇଥିବାବେଳେ, ସମଗ୍ର ନିର୍ବାଚନରେ ଏହା ପ୍ରାୟ ୯୩% ରହିଛି। ସ୍ୱାଧୀନତା ପରଠାରୁ ଏହା ସର୍ବାଧିକ।ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୧୪୨ଟି ଆସନ ପାଇଁ ପ୍ରାୟ ୩.୨୧ କୋଟି ଭୋଟର ଯୋଗ୍ୟ ଥିଲେ।

ତେବେ ଏହି ହାଇ-ଭୋଲଟେଜ୍ ନିର୍ବାଚନର ଫଳାଫଳ ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ।