ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ସମୟରେ ବିଜେପିକୁ ରୋକିବା ପାଇଁ ଯେଉଁ କଂଗ୍ରେସ ଓ ବିଜେଡି ଏକାଠି ହୋଇଥିଲେ, ସେମାନଙ୍କ ମଧୁର ସମ୍ପର୍କରେ ଏବେ ‘ପୂର୍ଣ୍ଣଚ୍ଛେଦ’ ପଡ଼ିଥିବା ପରି ମନେହେଉଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନବୀନଙ୍କ ବୟାନ ଏହି ଦୂରତାକୁ ସ୍ପଷ୍ଟ କରିଛି।

ବିଜେପିକୁ ଟାର୍ଗେଟ୍‌ କରିବା ବାହାନାରେ ନବୀନ କଂଗ୍ରେସ ଶାସନ ସମୟର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଉଦାହରଣ ଭାବେ ଟାଣିଛନ୍ତି।କଂଗ୍ରେସ ଶାସନକୁ ମହିଳା ବିରୋଧୀ ଦର୍ଶାଇ ନବୀନ ନିଜର ପୁରୁଣା ‘ସମଦୂରତ୍ୱ’ (Equidistance) ଫର୍ମୁଲାକୁ ଫେରିଥିବା ଚର୍ଚ୍ଚା ହେଉଛି।

ବିଜେଡିର ଏହି ଆଭିମୁଖ୍ୟ ପରେ କଂଗ୍ରେସ ମଧ୍ୟ ଚୁପ୍ ହୋଇ ରହିନାହିଁ। କଂଗ୍ରେସ ସିଧାସଳଖ କହିଛି ଯେ ବିଜେଡି ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ବିଜେଡି ଶାସନ କାଳରେ ମଧ୍ୟ ମହିଳା ନିର୍ଯାତନା କମ୍ ନଥିଲା ବୋଲି କଂଗ୍ରେସ କାଉଣ୍ଟର ହାମଲା କରିଛି।

ତେବେ ପ୍ରଶ୍ନ ଉଠୁଛି ଯେ ନବୀନ ପଟ୍ଟନାୟକଙ୍କ ଏହି ହଠାତ୍ ପରିବର୍ତ୍ତନ ପଛରେ ପ୍ରମୁଖ କାରଣ କ’ଣ ଥାଇପାରେ? କାହିଁକି ଆଭିମୁଖ୍ୟ ବଦଳିଛି?

ତୃଣମୂଳ ସ୍ତରରେ ବିଜେଡି କର୍ମୀମାନେ କଂଗ୍ରେସ ସହ ବୁଝାମଣାକୁ ସହଜରେ ଗ୍ରହଣ କରିପାରୁ ନଥିଲେ।ରାଜ୍ୟସଭା ନିର୍ବାଚନ ପାଇଁ ଉଭୟ ଦଳ ଏକାଠି ହୋଇଥିଲେ, ଯାହା କେବଳ ଏକ ‘ସାମୟିକ ବୁଝାମଣା’ ଥିଲା ବୋଲି ଏବେ ପ୍ରମାଣିତ ହେଉଛି।

ଏବେ ବିଜେପି ଓ କଂଗ୍ରେସ ଉଭୟଙ୍କୁ ସମାନ ଭାବେ ବିରୋଧ କରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାକୁ ଚାହୁଁଛି ବିଜେଡି।