ମୟୂରଭଞ୍ଜ: ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ବିରୋଧରେ ଆସିଥିବା ସଙ୍ଗିନ ଅଭିଯୋଗକୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ ରହିଛି।ଜଣେ ୬୧ ବର୍ଷୀୟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏହି ଅଭିଯୋଗ ଆଣିଛନ୍ତି।
ଅଭିଯୋଗକାରିଣୀ ଆରତୀ ଲେଙ୍କାଙ୍କ ଅନୁସାରେ, ବିଧାୟକଙ୍କ ସହ ତାଙ୍କର ଦୀର୍ଘ ୩୨ ବର୍ଷ ଧରି ନିବିଡ଼ ସମ୍ପର୍କ ଥିଲା।ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ବିଭିନ୍ନ ନିର୍ବାଚନ ସମୟରେ ଲକ୍ଷାଧିକ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।
୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ, ଗତ ଅକ୍ଟୋବର ୨୦୨୫ରୁ ସେ ମହିଳାଙ୍କୁ ଅଣଦେଖା କରିବା ସହ ସମ୍ପର୍କ ଛିନ୍ନ କରିଥିବା ଜଣାପଡ଼ିଛି।
ନିକଟରେ ରତନସାହି ବଜାରରେ ବିଧାୟକଙ୍କୁ ଦେଖି ମହିଳାଜଣକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିବା ସୂଚନା ମିଳିଛି।
ଜଲେନ ନାଏକ ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ଓ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ମହିଳାଙ୍କ ଗାଡ଼ି ଭଙ୍ଗାରୁଜା କଥା ସ୍ୱୀକାର କରିଥିଲେ ହେଁ ଶୋଷଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ବିଜେଡି (BJD) ର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମହିଳାଙ୍କୁ ଭେଟିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଇରଙ୍ଗପୁର ଏସ୍ଡିପିଓଙ୍କୁ ଦାବିପତ୍ର ଦେଇଛି।ରାଇରଙ୍ଗପୁର ଏସ୍ଡିପିଓ ବୀରେନ୍ଦ୍ର ସେନାପତିଙ୍କ ସୂଚନା ଅନୁସାରେ, ପୋଲିସ ଏକ ଷ୍ଟେସନ ଡାଏରୀ କରି ଘଟଣାର ତଦନ୍ତ ଚଳାଇଛି।




