ପୁରୀ: କାଳବୈଶାଖୀ ଝଡ଼ର ପ୍ରଭାବରେ ପୁରୀଶ୍ରୀ ଜଗନ୍ନାଥ ମନ୍ଦିରର ନୀଳଚକ୍ର ଉପରେ ଲାଗିଥିବା ପତିତପାବନ ବାନା ଚିରିଯାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ମନ୍ଦିର ପରମ୍ପରା ଅନୁଯାୟୀ ପ୍ରତିଦିନ ଅପରାହ୍ନ ସମୟରେ ଚୁନରା ସେବକମାନେ ନୀଳଚକ୍ରରେ ପତିତପାବନ ବାନା ଲାଗି କରନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ ଏହି ନୀତି ସମ୍ପନ୍ନ ହୋଇଥାଏ।

ଏହି ଘଟଣା ସତ୍ତ୍ୱେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟି ହୋଇନାହିଁ। ସକାଳୁ ସମସ୍ତ ନୀତି ପୂର୍ବବତ୍ ଭାବେ ଚାଲୁ ରହିଥିବା ମନ୍ଦିର ପକ୍ଷରୁ ଜଣାପଡ଼ିଛି। ପରମ୍ପରା ଅନୁସାରେ ନୀଳଚକ୍ରରେ ଯେକୌଣସି ବାନା ରହିଲେ ନୀତିକାନ୍ତି ଅବିଚ୍ଛିନ୍ନ ଭାବେ ଚାଲିପାରେ।

ପୂର୍ବରୁ ମଧ୍ୟ ବାତ୍ୟା କିମ୍ବା ପବନ ସମୟରେ ଏପରି ଘଟଣା ଘଟିଥିବା ନଜିର ରହିଛି। ଏହି ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବା ଦୃଶ୍ୟ ମଧ୍ୟ ଦେଖାଯାଇଥିଲା, ଯାହା କିଛି ସମୟ ପରେ ଉଡ଼ିଯାଇଥିଲା।

ଏପରି ପ୍ରାକୃତିକ ପ୍ରଭାବ ସତ୍ତ୍ୱେ ଶ୍ରୀମନ୍ଦିରର ପରମ୍ପରା ଓ ନୀତିକାନ୍ତି ସାଧାରଣ ଭାବେ ଚାଲିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।