ଭୁବନେଶ୍ୱର: ଓଡ଼ିଶାର ମେଟ୍ରୋ ସ୍ୱପ୍ନ ଏବେ କେବଳ ଭୁବନେଶ୍ୱରରେ ସୀମିତ ରହିବ ନାହିଁ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ‘ଟ୍ରାଏ-ସିଟି’ (Tri-city) ରେଳ ନେଟୱାର୍କ ଘୋଷଣା କରିଛନ୍ତି, ଯାହା ଭୁବନେଶ୍ୱର, କଟକ ଏବଂ ପୁରୀକୁ ପରସ୍ପର ସହ ଯୋଡ଼ିବ।ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଦ୍ରୁତ ଅଭିବୃଦ୍ଧିଶୀଳ ସହରାଞ୍ଚଳକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ଏକ ସମନ୍ୱିତ ମେଟ୍ରୋ ବ୍ୟବସ୍ଥା ଭାବେ ପୁନଃ-ପରିକଳ୍ପନା କରାଯାଉଛି। “ଆମେ ମେଟ୍ରୋ ରେଳ ସେବା ନିର୍ମାଣ କରିବାକୁ ଚାହୁଁଛୁ। ପ୍ରକଳ୍ପକୁ ବନ୍ଦ କରାଯାଇ ନାହିଁ, ବରଂ ଏହାର ଆବଶ୍ୟକୀୟ ପ୍ରକ୍ରିୟା ଜାରି ରହିଛି,” ବୋଲି ସେ ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ୱରର ବର୍ତ୍ତମାନର ଟ୍ରାଫିକ ସମସ୍ୟା ପଛରେ ବର୍ଷ ବର୍ଷର ଖରାପ ଯୋଜନା ରହିଛି। ମେଟ୍ରୋ କାମ ଆରମ୍ଭ ହେବା ପୂର୍ବରୁ ସଠିକ୍ ସଡ଼କ ଭିତ୍ତିଭୂମି ବିକାଶ କରିବା ଜରୁରୀ।ନିର୍ମାଣ ଏବଂ ପରୀକ୍ଷଣ ସମୟରେ ଯେପରି ଲୋକଙ୍କୁ ଅସୁବିଧା ନହୁଏ, ସେଥିପାଇଁ ବିକଳ୍ପ ରାସ୍ତା ତିଆରି କରାଯିବ।
ଭୁବନେଶ୍ୱର, କଟକ, ପୁରୀ ଏବଂ ପାରାଦୀପ ଖୁବଶୀଘ୍ର ଏକ ପ୍ରମୁଖ ଅର୍ଥନୈତିକ ଅଞ୍ଚଳ ଭାବେ ଉଭା ହେବ ଏବଂ ମେଟ୍ରୋ ଏହାର ମେରୁଦଣ୍ଡ ସାଜିବ। ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଲୋଡ଼ିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବେ। ଏହି ସମନ୍ୱିତ ମେଟ୍ରୋ ପ୍ରକଳ୍ପ ଓଡ଼ିଶାର ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବା ସହ ଆଗାମୀ ଦିନରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।




