ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଦୃଢ଼ ଓ ଆକ୍ରମଣାତ୍ମକ ଅଭିଭାଷଣ ରଖି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ବିରୋଧୀଙ୍କର ‘ମହିଳା ବିରୋଧୀ’ ମନୋଭାବ ଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟକୁ ସେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ହେଉଛନ୍ତି ସମାଜର ଭିତ୍ତିଭୂମି। ଏହି ବିଲ୍ ମହିଳାମାନଙ୍କୁ କେବଳ ସହଭାଗୀ ନୁହେଁ, ବରଂ ପ୍ରକୃତ ନୀତି ନିର୍ଦ୍ଧାରକ ଭାବେ ଗଢ଼ିତୋଳିବ।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ କେବଳ ‘ସହଯୋଗୀ’ ଭାବେ ଦେଖନ୍ତି ନାହିଁ, ବରଂ ସେମାନଙ୍କୁ ‘ସାରଥି’ (ନେତୃତ୍ୱକାରୀ) ଭାବେ ବିବେଚନା କରନ୍ତି। ଆଗାମୀ ଦିନରେ ମହିଳାମାନେ କାହାର ଅନୁକମ୍ପାରେ ନୁହେଁ, ବରଂ ନିଜର ସାମର୍ଥ୍ୟ ଓ ଯୋଗ୍ୟତା ବଳରେ ବିଧାନସଭାକୁ ଆସିବେ।”

ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରି ନିଜର ଦ୍ୱୈତ ନୀତି ପ୍ରଦର୍ଶନ କରିଥିବା ମାଝୀ ଅଭିଯୋଗ କରିଛନ୍ତି। ଏହା ସେମାନଙ୍କର ମହିଳା ବିରୋଧୀ ମାନସିକତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି।ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଘଟିଥିବା ବିଭିନ୍ନ ସମ୍ବେଦନଶୀଳ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ବେବିନା, କୁନ୍ଦୁଲି, ଇତିଶ୍ରୀ ପ୍ରଧାନ, ପରୀ ଏବଂ ମମିତା ମେହେର ଭଳି ହାଇ-ପ୍ରୋଫାଇଲ୍ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଏବଂ ମହିଳାଙ୍କ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି। ମହାନଦୀ ଜଳ ବିବାଦ, ଦାନ ମାଝୀ ଘଟଣା, କଳିଙ୍ଗ ନଗର ଗୁଳିକାଣ୍ଡ ଏବଂ ଚିଟଫଣ୍ଡ ଦୁର୍ନୀତିକୁ ନେଇ ସେ ପୂର୍ବ ସରକାରଙ୍କୁ ଘେରିଛନ୍ତି।

ନିଜ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଏବଂ ହିଂସା ବିରୋଧରେ ବର୍ତ୍ତମାନର ସରକାର କଠୋର ପଦକ୍ଷେପ ନେଉଛନ୍ତି।ତାଙ୍କ ସରକାର ଅମଳରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ଦୋଷୀ ସାବ୍ୟସ୍ତ ହାର (Conviction Rate) ବୃଦ୍ଧି ପାଇ ୪୧ ପ୍ରତିଶତରେ ପହଞ୍ଚିଛି।