ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ନକ୍ସଲବିରୋଧୀ ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଡମ୍ପକୁ ଉଦ୍ଧାର କରୁଥିବା ବେଳେ ଏକ ଭୟଙ୍କର IED ବିସ୍ଫୋରଣ ଘଟି, ୩ ଜଣ ଯବାନ ସହିଦ ହୋଇଛନ୍ତି ଓ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅଞ୍ଚଳରେ, କାଂକେର-ନାରାୟଣପୁର ସୀମାନ୍ତ ଜଂଗଲରେ ସୁରକ୍ଷାବାହିନୀଙ୍କ ଦଳ କମ୍ବିଂ ଅପରେସନରେ ନିୟୋଜିତ ଥିଲେ। ଏହି ସମୟରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଡମ୍ପ ଚିହ୍ନଟ ହୋଇଥିଲା। ଯବାନମାନେ ଡମ୍ପରୁ ଅସ୍ତ୍ର ଓ ଲ୍ୟାଣ୍ଡମାଇନକୁ ସତର୍କତାର ସହ ନିଷ୍କ୍ରିୟ କରୁଥିବାବେଳେ ହଠାତ୍‌ ଏକ ବିସ୍ଫୋରଣ ଘଟିଥିଲା।

ଏହି ବିସ୍ଫୋରଣରେ ଇନସପେକ୍ଟର ସୁଖରାମ ବେଟ୍ଟି, କନେଷ୍ଟବଲ କୃଷ୍ଣା କୋମରା ଓ ସଂଜୟ ଗଢପାଲ ଘଟଣାସ୍ଥଳରେ ସହିଦ ହୋଇଥିଲେ। ଅନ୍ୟପଟେ, କନେଷ୍ଟବଲ ପରମାନନ୍ଦ କୋମରା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖନୀୟ ଯେ, ନକ୍ସଲମାନଙ୍କ ଗତିବିଧି କମିଥିଲେ ମଧ୍ୟ ସେମାନେ ଜଂଗଲରେ ଲ୍ୟାଣ୍ଡମାଇନ ଓ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କ ଠାରୁ ମିଳୁଥିବା ସୂଚନା ଆଧାରରେ ସୁରକ୍ଷାବାହିନୀ ପକ୍ଷରୁ ନିୟମିତ ସର୍ଚ୍ଚ ଅଭିଯାନ ଚାଲିଛି।