କଟକ: ବହୁ ପ୍ରତୀକ୍ଷିତ ମାଟ୍ରିକ୍‌ ପରୀକ୍ଷା-୨୦୨୬ର ଫଳାଫଳ ଆଜି ପ୍ରକାଶ ପାଇଛି। Board of Secondary Education Odisha (ବିଏସ୍‌ଇ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ପାସ୍‌ ହାର ୯୫.୩୩ ପ୍ରତିଶତ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ Nityananda Gond ଏବଂ ବୋର୍ଡର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଫଳାଫଳ ଘୋଷଣା କରାଯାଇଛି।

କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍‌ଏସ୍‌ସି), ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ଏବଂ ମାଧ୍ୟମ ପରୀକ୍ଷାର ଫଳ ଏକାସାଥିରେ ଜାରି କରାଯାଇଛି। ଏହି ଫଳାଫଳ ସନ୍ଧ୍ୟା ୬ଟା ପରେ ବୋର୍ଡର ଅଧିକୃତ ୱେବସାଇଟ୍‌ରେ ଉପଲବ୍ଧ ହେବ।

ଏବେର ମାଟ୍ରିକ୍‌ ପରୀକ୍ଷାରେ ଏକ ନୂତନ ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍‌ ପାଇବେ। ସେଥିସହ ଇଂରାଜୀରେ ମଧ୍ୟ ପୂର୍ବବତ୍‌ ସମସ୍ତ ତଥ୍ୟ ଉଲ୍ଲେଖ ରହିବ।

ଛାତ୍ରଛାତ୍ରୀମାନେ www.bseodisha.ac.in ରେ ନିଜର ରୋଲ୍‌ନମ୍ବର ଦେଇ ଫଳାଫଳ ଯାଞ୍ଚ କରିପାରିବେ। ଇଣ୍ଟରନେଟ୍‌ ସୁବିଧା ନଥିଲେ ମଧ୍ୟ SMS ମାଧ୍ୟମରେ ଫଳାଫଳ ଜାଣିବା ବ୍ୟବସ୍ଥା ରହିଛି। ଏଥିପାଇଁ “OR10” ଲେଖି 5676750କୁ ପଠାଇବାକୁ ପଡିବ। ସନ୍ଧ୍ୟା ୭ଟା ପରେ ସ୍କୁଲମାନେ ବୋର୍ଡ ୱେବସାଇଟ୍‌ରୁ ଟେବୁଲେସନ୍‌ ରେଜିଷ୍ଟାର୍‌ (TR) ଡାଉନଲୋଡ୍‌ କରିପାରିବେ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫେବୃଆରି ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ୩୦୮୨ଟି କେନ୍ଦ୍ରରେ ପରୀକ୍ଷା ଦେଇଥିବାବେଳେ ୫୧ଟି କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ମୂଲ୍ୟାଙ୍କନ କାର୍ଯ୍ୟ କରିଥିଲେ।