ସଂଯୁକ୍ତ ଆରବ ଏମିରେଟ୍ସ (UAE) ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସୋମବାର ଅପରାହ୍ନରେ ଇରାନ ପକ୍ଷରୁ ହୋଇଥିବା ମିସାଇଲ ଓ ଡ୍ରୋନ୍ ଆକ୍ରମଣକୁ ସେମାନଙ୍କ ବାୟୁସେନା ପ୍ରତିହତ କରିଛି। ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି ଛଡ଼ାଯାଇଥିବା ବାଲିଷ୍ଟିକ୍ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନଗୁଡ଼ିକୁ ମଝି ଆକାଶରେ ଅଟକାଯାଇଛି। ମୋଟ ୪ଟି ମିସାଇଲ ମଧ୍ୟରୁ ୩ଟିକୁ ନଷ୍ଟ କରାଯାଇଥିବା ବେଳେ ଗୋଟିଏ ସମୁଦ୍ରରେ ପଡ଼ିଥିଲା।

ଫୁଜୈରା (Fujairah) ଏମିରେଟ୍ ପକ୍ଷରୁ କୁହାଯାଇଛି ଯେ, ଏକ ଇରାନୀ ଡ୍ରୋନ୍ ମାଡ଼ରେ ଗୋଟିଏ ତୈଳ ପ୍ରକଳ୍ପରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣରେ ୩ ଜଣ ଭାରତୀୟ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି, ଯାହାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଚେଷ୍ଟା ବିଫଳ ହେବା ପରେ ଏହି ଉତ୍ତେଜନା ଦେଖାଦେଇଛି। ପାକିସ୍ତାନର ମଧ୍ୟସ୍ଥତାରେ ଗତ ଏପ୍ରିଲ ୮ ତାରିଖରୁ ଚାଲିଥିବା ଅସ୍ଥାୟୀ ଶାନ୍ତି ଏହି ଆକ୍ରମଣ ପରେ ଭାଙ୍ଗିଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ହରମୁଜ ପ୍ରଣାଳୀରେ ଅଟକି ରହିଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେରିକୀୟ ସେନା ଅପରେସନ୍ ଆରମ୍ଭ କରିବ। ଏହାକୁ ନେଇ ଉତ୍ତେଜନା ବଢ଼ିଛି ଏବଂ ଇରାନ ନୌସେନା ଆମେରିକୀୟ ଯୁଦ୍ଧ ଜାହାଜ ପ୍ରତି ‘ସତର୍କତାମୂଳକ ଗୁଳିଚାଳନା’ କରିଥିବା ଖବର ମଧ୍ୟ ହସ୍ତଗତ ହୋଇଛି।

ଓମାନ ଉପକୂଳରେ ୟୁଏଇର ଏକ ଖାଲି ତୈଳ ଟ୍ୟାଙ୍କର ‘MV Barakah’ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ୟୁଏଇ ଦୃଢ଼ ନିନ୍ଦା କରିଛି।

ଓ୍ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନା ଏବେ ଏକ ପ୍ରକାର ବନ୍ଦ ହୋଇଯାଇଛି। ହରମୁଜ ପ୍ରଣାଳୀ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ନେଇ ଇରାନ ଜିଦ୍ ଧରିଥିବା ବେଳେ ଆମେରିକା ଏହାକୁ ମୁକ୍ତ କରିବାକୁ ଚାହୁଁଛି। ଦୁଇ ପକ୍ଷ ମଧ୍ୟରେ ବାକ୍-ଯୁଦ୍ଧ ଓ ସାମରିକ ଟକ୍କର ଯୋଗୁଁ ସାରା ଗଲ୍ଫ ଅଞ୍ଚଳରେ ଏବେ ଯୁଦ୍ଧ ଭୟ ଘନେଇବାରେ ଲାଗିଛି।