ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପଶ୍ଚିମବଙ୍ଗରେ ଦଳର ବିଜୟକୁ ‘ବିକଶିତ ଭାରତ ୨୦୪୭’ ସଂକଳ୍ପ ସହ ଯୋଡ଼ିଛନ୍ତି। ତାଙ୍କ କହିବା ଅନୁଯାୟୀ ବଙ୍ଗ ବିଜୟ ପରେ ପୂର୍ବ ଭାରତର ବିକାଶ ପାଇଁ ଏକ ନୂଆ ପଥ ପ୍ରଶସ୍ତ ହେବ। ପୂର୍ବରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଜନୈତିକ ବିବାଦ ଓ “ହୀନମନ୍ୟତା”ର ଏବେ ଅନ୍ତ ହେବ।
ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ “ଅଙ୍ଗ, ବଙ୍ଗ ଓ କଳିଙ୍ଗ” (ବିହାର, ବଙ୍ଗଳା ଓ ଓଡ଼ିଶା) ର ମିଳିତ ବିକାଶ କଥା କହିଥିଲେ, ଯାହାକୁ ରାଜ୍ୟ ସଭାପତି ଦୋହରାଇଛନ୍ତି।
ଅଙ୍ଗ-ବଙ୍ଗ-କଳିଙ୍ଗ କାର୍ଡ ଖେଳିଲା ବିଜେପି; କଟାକ୍ଷ କରି ବିଜେଡି କହିଲା- ‘ଅର୍ଥ ଆଉ କେନ୍ଦ୍ରୀୟ ସଂସ୍ଥା ବଳରେ ଜିତୁଛି ବିଜେପି’
ବିଜେପିର ଏହି ଉତ୍ସାହକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କର ପ୍ରତିକ୍ରିୟା ଥିଲା ଯେ ବିଜେପି ନେତାମାନେ ଏବେ ଦିବାସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ସେମାନଙ୍କର ପତନ ନିଶ୍ଚିତ। ବିଜେପି କେବଳ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI/ED) ଏବଂ ପ୍ରଚୁର ଅର୍ଥ ବଳରେ ନିର୍ବାଚନ ଜିତୁଛି। ବିଜେପି ସହ କେନ୍ଦ୍ରୀୟ ସଂସ୍ଥାମାନଙ୍କର ଏକ ପ୍ରକାର ‘ଆଲିଆନ୍ସ’ ବା ମେଣ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ରାଜନୈତିକ ବୟାନବାଜିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ଓଡ଼ିଶା ରାଜନୀତିରେ ମଧ୍ୟ ଉଷ୍ମତା ବୃଦ୍ଧି ପାଇଛି। ବିଜେପି ଏହାକୁ ପୂର୍ବ ଭାରତର “ସର୍ବବ୍ୟାପୀ ବିକାଶ” ଭାବେ ଚିତ୍ରଣ କରୁଥିବାବେଳେ, ବିଜେଡି ଏହାକୁ କେବଳ “କଳବଳ କୌଶଳ”ର ପରିଣାମ ବୋଲି କହୁଛି।




