କୋଲକାତା: କୋଲକାତା ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ପଶ୍ଚିମବଙ୍ଗରେ ରାଜନୈତିକ ପରିବର୍ତ୍ତନ ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଜିଥିବା ବେଳେ, ଏହି ପ୍ରଭାବଶାଳୀ ପୋଲିସ ଅଧିକାରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି।
ଇଡି ସନ୍ଦେହ କରୁଛି ଯେ, ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା ଡିସିପି ଶାନ୍ତନୁ ଗିରଫଦାରୀ ଭୟରେ ଦେଶ ଛାଡ଼ି ପଳାଇବାକୁ ଯୋଜନା କରୁଛନ୍ତି। ବାରମ୍ବାର ସମନ ସତ୍ତ୍ୱେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।
ଏହି ମାମଲାର ମୁଖ୍ୟ ସୂତ୍ରଧର ହେଉଛନ୍ତି ଦକ୍ଷିଣ କୋଲକାତାର ସୋନା ପପ୍ପୁ ଓରଫ ବିଶ୍ୱଜିତ ପୋଦ୍ଦାର। ତେବେ ଜମି ହଡ଼ପ ଏବଂ ବେଆଇନ ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଆଇନର ଉଲ୍ଲଂଘନ, ଏକ ସୁସଂଗଠିତ ଅପରାଧିକ ସିଣ୍ଡିକେଟ୍ ପରିଚାଳନା ଭଳି ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। ଏହି ସିଣ୍ଡିକେଟ୍ରୁ ମିଳୁଥିବା କଳାଟଙ୍କାକୁ ଧଳା କରିବା ମାମଲାରେ ଶାନ୍ତନୁଙ୍କ ସମ୍ପୃକ୍ତି ଥିବା ଇଡି ଜାଣିବାକୁ ପାଇଛି।
ଇଡି ଏହି ମାମଲାରେ ଜୟ କାମଦାର ନାମକ ଜଣେ ବ୍ୟବସାୟୀଙ୍କୁ ପୂର୍ବରୁ ଗିରଫ କରିଛି। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଶାନ୍ତନୁଙ୍କ ଫର୍ଣ୍ଣ ରୋଡ୍ ବାସଭବନରେ ଚଢ଼ାଉ କରାଯାଇଥିଲା। କେବଳ ଶାନ୍ତନୁ ନୁହଁନ୍ତି, ବରଂ ତାଙ୍କର ଦୁଇ ପୁଅ ସାୟନ୍ତନ ଓ ମନୀଷଙ୍କୁ ମଧ୍ୟ ପଚରାଉଚରା ପାଇଁ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା। କିନ୍ତୁ ସେମାନେ ହାଜର ହୋଇନଥିଲେ। ପୂର୍ବରୁ କାଲିଘାଟ ଥାନାର ଆଇଆଇସି ଥିବା ସମୟରେ ବାଲି ଚୋରା ଚାଲାଣରେ ମଧ୍ୟ ଶାନ୍ତନୁଙ୍କ ନାମ ସାମ୍ନାକୁ ଆସିଥିଲା।
ତଦନ୍ତ ଆରମ୍ଭ ହେବା ପରଠାରୁ ଡିସିପି ଶାନ୍ତନୁଙ୍କୁ ସାଧାରଣରେ ଦେଖିବାକୁ ମିଳୁନାହିଁ। ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତାଙ୍କୁ ହାଜର ହେବାକୁ ସମନ କରାଯାଇଥିଲେ ମଧ୍ୟ ସେ ନିଜ ଓକିଲଙ୍କ ଜରିଆରେ ଉତ୍ତର ରଖିବାକୁ ଚେଷ୍ଟା କରିଥିଲେ। ତେବେ ଲୁକ୍ଆଉଟ୍ ନୋଟିସ୍ ଜାରି ହେବା ପରେ ଏବେ ବିମାନବନ୍ଦର ଓ ସୀମାନ୍ତ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।
ଏହି ଘଟଣା ପଶ୍ଚିମବଙ୍ଗ ପ୍ରଶାସନିକ ସ୍ତରରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଏଭଳି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଅନେକ ବଡ଼ ରହସ୍ୟ ଉପରୁ ପରଦା ହଟାଇବ ବୋଲି ଅନୁମାନ କରାଯାଉଛି।




