ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ‘ବସନ୍ତ ଭିଲା’ ଆପାର୍ଟମେଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି (SCB) ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

ବୁଧବାର ଭୋର ପ୍ରାୟ ୪ଟା ସମୟରେ ଲକ୍ଷ୍ମୀସାଗର ସ୍ଥିତ ବସନ୍ତ ଭିଲା ଆପାର୍ଟମେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପୂର୍ବରୁ ଘଟଣାସ୍ଥଳରେ ଜଣେ କେୟାରଟେକର ଏବଂ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ବିଶ୍ୱଜିତ ବେହେରା (ସିକ୍ୟୁରିଟି ଗାର୍ଡ) ଏବଂ ସୁଲଭ ବେହେରା (କେୟାରଟେକର)। ଧୂଆଁରେ ଶ୍ୱାସରୁଦ୍ଧ ହେବା ସହ ପୋଡ଼ି ଯାଇ ସେମାନଙ୍କର ମୃତ୍ୟୁ ଘଟିଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଗାର୍ଡ ରୁମ୍‌ରେ ଥିବା ଇଲେକ୍ଟ୍ରିକାଲ ପ୍ୟାନେଲ ବୋର୍ଡରେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିଲା।ଯେତେବେଳେ ଆପାର୍ଟମେଣ୍ଟର ଅଧିକାଂଶ ବାସିନ୍ଦା ଶୋଇଥିଲେ, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ।