ଫୁଲବାଣୀ: କନ୍ଧମାଳ ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟନଗର ଅଞ୍ଚଳରେ ଚାଲିଥିବା ଏକ ବେଆଇନ ବନ୍ଧୁକ କାରଖାନାକୁ ପୋଲିସ ଠାବ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଚଢ଼ାଉ ସମୟରେ ପୋଲିସ ୩ଟି ଦେଶୀ ବନ୍ଧୁକ, ୪ଟି ଟ୍ରିଗର,ଗୋଟିଏ କଟର ମେସିନ୍, ବନ୍ଧୁକ ତିଆରିରେ ବ୍ୟବହୃତ ପ୍ରଚୁର ପରିମାଣର କଞ୍ଚାମାଲ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି।
ଗୋପନୀୟ ସୂଚନା ଆଧାରରେ ପୋଲିସ ଏହି ଚଢ଼ାଉ କରିଥିଲା। ପୋଲିସର କହିବା ଅନୁଯାୟୀ, ଏହି କାରଖାନାଟି ଦୀର୍ଘ ମାସ ଧରି ସକ୍ରିୟ ରହିଥିଲା। ଏଠାରୁ ପ୍ରସ୍ତୁତ ବନ୍ଧୁକଗୁଡ଼ିକୁ ଚୋରା ବଜାରରେ ବିକ୍ରି କରାଯାଉଥିଲା। ଏହି ଅସ୍ତ୍ରଶସ୍ତ୍ର ବିଭିନ୍ନ ଅପରାଧିକ ଗୋଷ୍ଠୀଙ୍କ ପାଖକୁ ଯାଉଥିବା ପୋଲିସ ସନ୍ଦେହ କରୁଛି।
ଗିରଫ ହୋଇଥିବା ଅଭିଯୁକ୍ତକୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଏହି କାରବାର ପଛରେ ଆଉ କାହାର ହାତ ଅଛି ଏବଂ ଏହି ବନ୍ଧୁକଗୁଡ଼ିକ କାହାକୁ ସପ୍ଲାଏ କରାଯାଉଥିଲା, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ପୋଲିସ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ରୋକିବା ପାଇଁ ଏହି ଚଢ଼ାଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଅଞ୍ଚଳରେ ହେଉଥିବା ହିଂସାକାଣ୍ଡ ଉପରେ ରୋକ ଲଗାଯାଇପାରିବ।




