ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଇଦ୍ ପର୍ବ ପରେ ସେ ଏକ ବଡ଼ ରାଜନୈତିକ ସନ୍ଦେଶ ଦେବେ ଏବଂ ସେହି ସମୟରେ ସେ “ବାଦଲ ଫଟା” (Cloudburst) ଭଳି ବର୍ଷିବେ।
ବାରାମୁଲା ଜିଲ୍ଲାର ଟାଙ୍ଗମାର୍ଗ ଅଞ୍ଚଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓମାର କହିଛନ୍ତି ଯେ, ବର୍ତ୍ତମାନ ସେ ନିଜକୁ ସଂଯତ ରଖିଛନ୍ତି, କାରଣ ଆଜିର ଏହି ଅବସର ରାଜନୈତିକ ଭାଷଣ ପାଇଁ ଉପଯୁକ୍ତ ନୁହେଁ। ଆସନ୍ତା ମେ’ ୨୮ ତାରିଖରେ ଇଦ୍ ପଡୁଥିବା ବେଳେ, ଏହା ପରେ ମୁଖ୍ୟମନ୍ତ୍ରୀ ଏକ ବିଶାଳ ଜନସଭା କରିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ। ଅଞ୍ଚଳରେ ପର୍ଯ୍ୟାପ୍ତ ଘରୋଇ ବିଶ୍ୱବିଦ୍ୟାଳୟ ନଥିବାରୁ ପିଲାମାନେ ବାହାରକୁ ଯାଇ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହାର ସମାଧାନ ପାଇଁ ‘ପ୍ରାଇଭେଟ୍ ୟୁନିଭର୍ସିଟି ବିଲ୍’ ପାସ୍ ହୋଇଛି ଏବଂ ନିୟମ ପ୍ରଣୟନ ଚାଲିଥିବା କହିଛନ୍ତି ଓମାର। ଏହାସହ ସେ କହିଛନ୍ତି, କେବଳ ସରକାରୀ ଚାକିରି ବେକାରୀ ସମସ୍ୟା ଦୂର କରିପାରିବ ନାହିଁ, ତଥାପି ଚଳିତ ବର୍ଷ ପ୍ରାୟ ୨୦,୦୦୦ ରୁ ୨୫,୦୦୦ ସରକାରୀ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ସହଜରେ ଋଣ ଯୋଗାଇଦେବା ପାଇଁ ଏହି ଯୋଜନା ମାଧ୍ୟମରେ କାମ କରାଯାଉଛି, ଯାହା ପର୍ଯ୍ୟଟନ ଓ କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହିତ କରିବ।
ନେସନାଲ କନଫରେନ୍ସ (NC) ମଧ୍ୟରେ କୌଣସି ପ୍ରକାର ବିବାଦ କିମ୍ବା ଅସନ୍ତୋଷ ଥିବା ଖବରକୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। କେହି ବି ଦଳ ଛାଡ଼ି ଯାଉନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କର ଆଗାମୀ ‘ରାଜନୈତିକ ସନ୍ଦେଶ’ କ’ଣ ହେବ, ସେ ନେଇ ଏବେ ସାରା ଜମ୍ମୁ-କାଶ୍ମୀରରେ କୌତୂହଳ ସୃଷ୍ଟି ହୋଇଛି।




