ଭୁବନେଶ୍ୱର: ରାଜ୍ୟର ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବହୁ ପ୍ରତୀକ୍ଷିତ ‘ପେସା’ (PESA- Panchayat Extension to Scheduled Areas) ଆଇନ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ କସରତ ଚାଲିଛି। ଏଥିପାଇଁ ରାଜ୍ୟର ୪୧ଟି ବିଭାଗ ସହିତ ବିଚାର ବିମର୍ଷ କରାଯାଇଛି। ଆଜି ଏହି ଆଇନର ରୂପରେଖ ନିମନ୍ତେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ ଯେ, ୧୯୯୬ ମସିହାରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ମଧ୍ୟ ଓଡ଼ିଶାରେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ।
ଆଦିବାସୀଙ୍କୁ ମିଳିବ ସ୍ୱୟଂ ଶାସନ ଅଧିକାର
ପେସା ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସ୍ୱୟଂ ଶାସନର ଅଧିକାର ପ୍ରଦାନ କରିବା। ଏହା ଲାଗୁ ହେବା ଦ୍ୱାରା ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ପାରମ୍ପରିକ ଅଧିକାର ସୁରକ୍ଷିତ ରହିବ। ପ୍ରତ୍ୟେକ ଗ୍ରାମରେ ଏକ ସ୍ୱତନ୍ତ୍ର ଗ୍ରାମସଭା ରହିବ, ଯାହା ସେମାନଙ୍କ ସଂସ୍କୃତି ଓ ସାମୁଦାୟିକ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବ। କୌଣସି ପ୍ରକାର ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନ ପୂର୍ବରୁ ଗ୍ରାମସଭାର ଅନୁମତି ନେବା ବାଧ୍ୟତାମୂଳକ ହେବ।
ଓଡ଼ିଶାରେ ଏହି ଆଇନ ଲାଗୁ ହେଲେ ରାଜ୍ୟର ୧୦ଟି ଜିଲ୍ଲାର ଅନୁସୂଚିତ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଆଦିବାସୀ ଉପକୃତ ହେବେ। ଦୀର୍ଘ ଦିନ ଧରି ବିଭିନ୍ନ ଆଦିବାସୀ ସଂଗଠନ ଏହି ଆଇନକୁ ଲାଗୁ କରିବା ପାଇଁ ଦାବି କରି ଆନ୍ଦୋଳନ କରିଆସୁଥିଲେ। ସରକାରଙ୍କ ଏହି ପଦକ୍ଷେପ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।




