କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ରାଜନୀତି ତେଜିଛି। ଘଟଣାର ଗୋଟିଏ ଦିନ ପରେ ଚନ୍ଦ୍ରନାଥଙ୍କ ମା’ ହାସିରାଣୀ ରଥ ତୃଣମୂଳ କଂଗ୍ରେସକୁ ସିଧାସଳଖ ଭାବେ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପରାଜୟର ପ୍ରତିଶୋଧ ନେବା ପାଇଁ ତାଙ୍କ ପୁଅକୁ ହତ୍ୟା କରାଯାଇଛି।
ସାମ୍ବାଦିକମାନଙ୍କ ସହ କଥାହେବା ବେଳେ ହାସିରାଣୀ ରଥ କହିଛନ୍ତି ଯେ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ତେବେ ଜଣେ ମା’ ଭାବେ ସେ ଫାଶୀ ନୁହେଁ, ଆଜୀବନ କାରାଦଣ୍ଡ ଦାବି କରୁଥିବା କହିଛନ୍ତି। ଭାବପ୍ରବଣ ହୋଇ ସେ କହିଥିଲେ, “ମୋ ପୁଅକୁ ଯେଉଁମାନେ ମାରିଛନ୍ତି ସେମାନଙ୍କୁ କଠୋର ଶାସ୍ତି ମିଳିବା ଉଚିତ।”
ସେ ଆହୁରି କହିଛନ୍ତି ଯେ, ୨୦୨୧ରେ ନନ୍ଦୀଗ୍ରାମ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରଠାରୁ ତାଙ୍କ ପରିବାର ଉପରେ ଚାପ ଓ ଧମକ ବଢ଼ିଯାଇଥିଲା। ଶାସକ ଦଳର କିଛି ନେତା ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ସହ ପରିବାରକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ମେ’ ୪ ପରେ “ଦିଲ୍ଲୀର କେହି ଆସି ବଞ୍ଚାଇ ପାରିବେ ନାହିଁ” ବୋଲି ଧମକ ଦିଆଯାଇଥିବା ମଧ୍ୟ ସେ କହିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମ ନିକଟରେ ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ଉପରେ ଆକ୍ରମଣ ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ବିଜେପି ନେତା ଅର୍ଜୁନ ସିଂହ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣର ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଥିଲେ। ତେବେ ତୃଣମୂଳ କଂଗ୍ରେସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାର ନିନ୍ଦା କରିଛି।




