ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିଗୁଡ଼ିକୁ ଚିହ୍ନଟ କରାଯାଇ ପୁନଃ ବନ୍ଦୋବସ୍ତ କରାଯିବ। ଦୀର୍ଘଦିନ ଧରି ଜମି ଦଖଲ କରି ରହୁଥିବା ସେବକ, ନିଯୋଗ ଓ ଅଣସେବକଙ୍କୁ ଚିହ୍ନଟ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଥଇଥାନ କରାଯିବ। ସେପଟେ ଅବୈଧ ଜବରଦଖଲ ହଟାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ଗୁରୁବାର ଲୋକସେବା ଭବନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୦୩ର ୟୁନିଫର୍ମ ସେଟେଲମେଣ୍ଟ ପଲିସିରେ ଆବଶ୍ୟକ ସଂଶୋଧନ ଆଣି ଶ୍ରୀଜଗନ୍ନାଥଙ୍କ ଜମିର ଉପଯୁକ୍ତ ବନ୍ଦୋବସ୍ତ ମାଧ୍ୟମରେ ଲୋକଙ୍କୁ ଥଇଥାନ କରିବା ନେଇ ଆଲୋଚନା ହୋଇଥିଲା।

ବର୍ଷବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବକ, ନିଯୋଗ, ଅଣସେବକ ଓ ବିଭିନ୍ନ ମଠଗୁଡ଼ିକୁ କିପରି ନିୟମିତ ଭାବେ ବନ୍ଦୋବସ୍ତ କରାଯିବ, ସେଥିନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ଅସଦ ଉପାୟରେ ଜମି ଜବରଦଖଲ କରାଯାଇଥିବା ଅଭିଯୋଗଗୁଡ଼ିକର ତଦନ୍ତ କରିବା ସହ ଆବଶ୍ୟକ ସ୍ଥଳେ ଜମିକୁ ନିଲାମ ପ୍ରକ୍ରିୟାରେ ସାମିଲ କରିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ପ୍ରକ୍ରିୟା ଫଳରେ ଦୀର୍ଘଦିନ ଧରି ବସବାସ କରୁଥିବା ସେବକ ଓ ନିଯୋଗମାନେ ସେମାନଙ୍କ ଜମି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ। ସେହିପରି ଜବରଦଖଲରେ ଥିବା ଜମିରୁ ସର୍ବାଧିକ ମୂଲ୍ୟ ଆଦାୟ କରି ଶ୍ରୀମନ୍ଦିର ପାଣ୍ଠିକୁ ସୁଦୃଢ଼ କରାଯାଇପାରିବ।

ଏହି ବୈଠକରେ ଆଇନ କମିଶନର ଜଷ୍ଟିସ୍‌ ବିଶ୍ୱନାଥ ରଥ, ପୂର୍ବତନ ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ମିଶ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ପବିତ୍ର ମୋହନ ସାମଲ, ଦେବୋତ୍ତର ଆୟୁକ୍ତ ସତ୍ୟନାରାୟଣ ଷଡ଼ଙ୍ଗୀ ଓ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।