ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତା ପରେ ଏବେ ପୁଣି ଏକ ନୂଆ ଭୂତାଣୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକଟ କରିଛି। ସମୁଦ୍ର ମଝିରେ ଥିବା ଏକ ବିଳାସପୂର୍ଣ୍ଣ ଡଚ୍ କ୍ରୁଜ୍ ସିପ୍ ‘MV Hondius’ ରେ ମାରାତ୍ମକ ‘ହାଣ୍ଟାଭାଇରସ୍’ (Hantavirus) ସଂକ୍ରମଣ ଚିହ୍ନଟ ହେବା ପରେ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି।

WHOର ମହାମାରୀ ନିରୋଧ ବିଭାଗ ମୁଖ୍ୟ ମାରିଆ ଭାନ୍ କେରଖୋଭ୍ ସ୍ଥିତି ସମୀକ୍ଷା କରି କହିଛନ୍ତି ଯେ, ଏହି ଭାଇରସ୍‌କୁ ନେଇ ବର୍ତ୍ତମାନ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି ଭାଇରସ୍ କୋଭିଡ-୧୯ କିମ୍ବା ଇନ୍‌ଫ୍ଲୁଏଞ୍ଜା ଭଳି ଜଣଙ୍କଠାରୁ ଅନ୍ୟଜଣଙ୍କୁ ଶୀଘ୍ର ବ୍ୟାପିନଥାଏ। ଜାହାଜରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି ଏବଂ ଆନ୍ତର୍ଜାତୀୟ ପ୍ରୋଟୋକଲ୍ ଅନୁଯାୟୀ ଯାଞ୍ଚ ଜାରି ରହିଛି।

ସାଧାରଣତଃ ହାଣ୍ଟାଭାଇରସ୍ ଜଙ୍ଗଲୀ ବା ଅପରିଷ୍କାର ସ୍ଥାନରେ ଥିବା ମୂଷା ଜାତୀୟ ପ୍ରାଣୀଙ୍କଠାରୁ ବ୍ୟାପିଥାଏ। ମୂଷାଙ୍କ ପରିସ୍ରା, ଲାଳ କିମ୍ବା ମଳ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରେ। ଏକ ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ଏହି ଭାଇରସ୍ କିଭଳି ପ୍ରବେଶ କଲା, ସେ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଜାଣନ୍ତୁ ଏହାର ମୁଖ୍ୟ ଲକ୍ଷଣ:

ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟିକା ବାହାରି ନାହିଁ।

ଏହାର ଲକ୍ଷଣଗୁଡ଼ିକ ହେଲା:

ପ୍ରବଳ ଜ୍ୱର ଏବଂ ଥଣ୍ଡା ଲାଗିବା

ମାଂସପେଶୀରେ ଅସହ୍ୟ ଯନ୍ତ୍ରଣା ଓ କ୍ଳାନ୍ତିମୁଣ୍ଡବିନ୍ଧା

ବାନ୍ତି ହେବା କିମ୍ବା ପେଟ କାଟିବା

ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା (ଗୁରୁତର ସ୍ଥିତିରେ)

ନେଦରଲ୍ୟାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଏହି ଜାହାଜଟିକୁ ଏବେ କଡ଼ା ନଜରରେ ରଖାଯାଇଛି। ସଂକ୍ରମିତ ଯାତ୍ରୀଙ୍କୁ ପୃଥକ ଭାବେ ରଖାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏହି ସ୍ଥିତି ଉପରେ WHO ତୀକ୍ଷ୍ଣ ନଜର ରଖିବା ସହ ସମସ୍ତ ବନ୍ଦର ଓ ଆନ୍ତର୍ଜାତୀୟ ଯାତ୍ରା ପାଇଁ ସତର୍କତା ଜାରି କରିଛି।