ଭୁବନେଶ୍ୱର:ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବାଇକ ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକଙ୍କ ‘ମବ୍ ଲିଞ୍ଚିଂ’ ବା ଗୋଷ୍ଠୀବଦ୍ଧ ଆକ୍ରମଣରେ ଜଣେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି।

ମୃତକ ସୌମ୍ୟରଞ୍ଜନ ସ୍ୱାଇଁ କଟକରେ ଜିଆରପି କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଏବଂ ତାଙ୍କ ସାଥୀ ଓମପ୍ରକାଶ ରାଉତ ଏକ ବାଇକରେ ଯାଉଥିବା ବେଳେ ଦୁଇଜଣ ମହିଳାଙ୍କ ସ୍କୁଟି ସହ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ ମହିଳାଙ୍କ ସହ ବଚସା ହୋଇଥିଲା। ମହିଳାମାନେ ଅଭିଯୋଗ କରିଥିଲେ ଯେ ଯୁବକ ଦ୍ୱୟ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଗାଡ଼ି ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ।

ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଆଇନକୁ ନିଜ ହାତକୁ ନେଇଥିଲେ। ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଲୋକେ ଅପେକ୍ଷା ନକରି ଉଭୟଙ୍କୁ ବାଉଁଶ ଗଛରେ ବାନ୍ଧି କାଠ ଫାଳିଆ ଓ ବାଉଁଶରେ ନିର୍ମମ ଭାବେ ପିଟିଥିଲେ। ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଓମପ୍ରକାଶ ଏବେ ମଧ୍ୟ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଡିଜିପିଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅତ୍ୟନ୍ତ ବର୍ବର କାଣ୍ଡ ବୋଲି କହିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ଓ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି।

ବାଲିଅନ୍ତା ପୋଲିସ ମହିଳାଙ୍କ ଅଭିଯୋଗ କ୍ରମେ ସୌମ୍ୟରଞ୍ଜନ ଓ ଓମପ୍ରକାଶଙ୍କ ବିରୋଧରେ ମାମଲା ରୁ୍ଜୁ କରିଛି। ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗରେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏବଂ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ରାଜଧାନୀ ନିକଟରେ ପୋଲିସ ଉପସ୍ଥିତି ସତ୍ତ୍ୱେ ଏଭଳି ଗୋଷ୍ଠୀବଦ୍ଧ ହତ୍ୟାକାଣ୍ଡ ସାଧାରଣ ଜନତାଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।