ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ସରକାର ଗଠନକୁ ନେଇ ଅସ୍ଥିରତା ଲାଗି ରହିଛି। ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ଟ୍ରି କାଝାଗାମ (TVK) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ରାଜ୍ୟପାଳ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିବାକୁ ନେଇ ବିବାଦ ତେଜିଛି। ଏହାର ପ୍ରତିବାଦରେ ଶୁକ୍ରବାର ଟିଭିକେ ସମର୍ଥକମାନେ ଚେନ୍ନାଇସ୍ଥିତ ଲୋକ ଭବନ (ରାଜଭବନ) ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଟିଭିକେ କର୍ମୀ ସୁରେଶ କହିଛନ୍ତି ଯେ ଯଦି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ନ ମିଳେ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ପୋଲିସ ଘଟଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇ ଦେଇଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ପାଇଁ ୧୧୮ଟି ଆସନ ଆବଶ୍ୟକ। ବିଜୟଙ୍କ ଟିଭିକେ ୧୦୮ଟି ଆସନ ଜିତିଥିବା ବେଳେ କଂଗ୍ରେସର ୫ ଜଣ ବିଧାୟକଙ୍କ ସମର୍ଥନରେ ଏହି ସଂଖ୍ୟା ୧୧୩ରେ ପହଞ୍ଚିଛି। ତଥାପି ଏହା ମ୍ୟାଜିକ ନମ୍ବରଠାରୁ ୫ଟି ଆସନ ଦୂରରେ ରହିଛି।
ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଗୁରୁବାର ବିଜୟଙ୍କୁ ଭେଟି ସ୍ପଷ୍ଟ କରିଛନ୍ତି ଯେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ସେ ବିଜୟଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କହିଛନ୍ତି। AIADMK ଜାତୀୟ ମୁଖପାତ୍ର କୋଭାଇ ସତ୍ୟନ ଟିଭିକେକୁ ଟାର୍ଗେଟ କରି କହିଛନ୍ତି ଯେ, ଯେତେବେଳେ ଦଳ ନିଜେ ସ୍ୱୀକାର କରୁଛି ଯେ ସେମାନଙ୍କ ପାଖରେ ମାତ୍ର ୧୧୩ ଜଣଙ୍କ ସମର୍ଥନ ଅଛି, ସେତେବେଳେ ବାକି ୫ ଜଣଙ୍କ ସମର୍ଥନ କେଉଁଠୁ ଆସିବ ତାହା ରାଜ୍ୟପାଳ ପଚାରିବା ସ୍ୱାଭାବିକ।
ଟିଭିକେ ଯୁଗ୍ମ ସାଧାରଣ ସମ୍ପାଦକ ସିଟିଆର୍ ନିର୍ମଳ କୁମାର ଗୁରୁବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ନେତାମାନଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି। CPI ଏବଂ VCK (ଉଭୟ ୨ଟି ଲେଖାଏଁ ଆସନ ଜିତିଛନ୍ତି) ଏନେଇ ଆଭ୍ୟନ୍ତରୀଣ ବୈଠକ ପରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟପାଳ ବିଜେପିର ନିର୍ଦ୍ଦେଶରେ କାର୍ଯ୍ୟ କରି ସମ୍ବିଧାନର ଅବମାନନା କରୁଥିବା ନେଇ ଟିଭିକେ ନେତାମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଛୋଟ ଦଳଗୁଡ଼ିକର ନିଷ୍ପତ୍ତି ଉପରେ ରହିଛି।




