ନୂଆଦିଲ୍ଲୀ: ତାମିଲନାଡ଼ୁରେ ଝୁଲା ବିଧାନସଭା ରାୟ ପରେ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଶେଷ ଘଟିଛି। ଟିଭିକେ (ତାମିଲଗା ଭେଟ୍ରି କାଝାଗମ) ମୁଖ୍ୟ ଥାଲାପତି ବିଜୟ ଆବଶ୍ୟକ ସଂଖ୍ୟା ହାସଲ କରି ସରକାର ଗଠନର ଦାବି ପ୍ରମାଣ କରିଛନ୍ତି। ଆସନ୍ତାକାଲି ଚେନ୍ନାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଟିଭିକେକୁ ଆଜି ଔପଚାରିକ ଭାବେ ଭିସିକେ, ସିପିଆଇ ଓ ସିପିଏମ୍‌ ସମର୍ଥନ ଘୋଷଣା କରିଛନ୍ତି। ଏହାଦ୍ୱାରା ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଟିଭିକେ ଆବଶ୍ୟକୀୟ ମ୍ୟାଜିକ୍‌ ନମ୍ବର ୧୧୮କୁ ଛୁଇଁପାରିଛି। ଫଳରେ ସରକାର ଗଠନ ନେଇ ଚାଲିଥିବା ସମସ୍ତ ଅନିଶ୍ଚିତତାର ଅନ୍ତ ଘଟିଛି।

ଚଳିତ ନିର୍ବାଚନରେ ବିଜୟଙ୍କ ଟିଭିକେ ଦଳ ୧୦୮ଟି ଆସନରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭୁ ହୋଇଥିଲା। କିନ୍ତୁ ବିଜୟ ଦୁଇଟି ଆସନରୁ ଜିତିଥିବାରୁ ଗୋଟିଏ ଆସନ ଛାଡ଼ିବା ପରେ ଦଳର ପ୍ରକୃତ ସଂଖ୍ୟା ୧୦୭କୁ ଖସି ଆସିଥିଲା। କଂଗ୍ରେସର ସମର୍ଥନ ସହ ଏହା ୧୧୨ରେ ପହଞ୍ଚିଥିଲା। ପରେ ଭିସିକେ, ସିପିଆଇ ଓ ସିପିଏମ୍‌ର ୬ ବିଧାୟକ ସମର୍ଥନ ଦେବାରୁ ସଂଖ୍ୟା ୧୧୮କୁ ପହଞ୍ଚିଛି।

ଏହା ପୂର୍ବରୁ ବିଜୟ ଦୁଇଥର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ସରକାର ଗଠନର ଦାବି କରିଥିଲେ। କିନ୍ତୁ ରାଜ୍ୟପାଳ ତାଙ୍କୁ ୧୧୮ ବିଧାୟକଙ୍କ ଲିଖିତ ସମର୍ଥନ ପତ୍ର ନେଇ ଆସିବାକୁ କହିଥିଲେ। ଆଜି ମିଳିଥିବା ସମର୍ଥନ ପରେ ଟିଭିକେ ସେହି ସଂଖ୍ୟା ହାସଲ କରିପାରିଛି।

ସିପିଏମ୍‌ ସାଧାରଣ ସମ୍ପାଦକ ଏମ୍‌.ଏ. ବେବି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସିପିଆଇ, ସିପିଏମ୍‌ ଓ ଭିସିକେର ସମସ୍ତ ବିଧାୟକ ବିଜୟଙ୍କୁ ସମର୍ଥନ କରିବେ। ଏହାସହ ଏଆଇଏମ୍‌ଆଇଏମ୍‌ ଓ ଟିଟିଭି ଦିନାକରନଙ୍କ ଦଳର ଜଣେ ଲେଖାଏ ବିଧାୟକ ମଧ୍ୟ ବିଜୟଙ୍କ ପକ୍ଷରେ ଥିବା ସୂଚନା ମିଳିଛି।

ସୂତ୍ର ଅନୁସାରେ, ଆଗାମୀ ଟିଭିକେ ନେତୃତ୍ୱାଧୀନ ସରକାରରେ ଭିସିକେ, ସିପିଆଇ ଓ ସିପିଏମ୍‌କୁ ଗୋଟିଏ ଲେଖାଏ ମନ୍ତ୍ରୀ ପଦ ମିଳିପାରେ। କଂଗ୍ରେସ ମଧ୍ୟ ସମର୍ଥନ ବଦଳରେ ଦୁଇଟି ମନ୍ତ୍ରୀ ପଦ ଆଶା କରୁଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଏଥର ନିର୍ବାଚନରେ ଟିଭିକେ ଦୀର୍ଘ ୫୦ ବର୍ଷର ଦ୍ରାବିଡ଼ ରାଜନୀତିର ପ୍ରାଭୁତ୍ୱକୁ ଚ୍ୟାଲେଞ୍ଜ କରି ଐତିହାସିକ ସଫଳତା ହାସଲ କରିଛି।