ଚେନ୍ନାଇ: ତାମିଲନାଡୁ ରାଜନୀତି ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ନେତା ସାଜିଥିବା ସି. ଜୋସେଫ ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, ସମସ୍ତଙ୍କ ନଜର ଏବେ ‘ବିଦୁଥଲାଇ ଚିରୁଥାଇଗଲ୍ କାଚି’ (VCK) ଉପରେ ଅଟକିଛି। ଆଜି ଅପରାହ୍ନ ୪ଟାରେ VCK ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି।
୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ନିକଟରେ ପହଞ୍ଚିଛନ୍ତି ବିଜୟ। ସୂଚନା ଅନୁସାରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ TVK ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ପୂର୍ବରୁ ବାହାରୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସରକାର ଗଠନ ପାଇଁ ଦଳକୁ ମାତ୍ର ୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
VCK ସମର୍ଥନ ପାଇଁ ଚାଲିଛି କସରତ
TVK ନେତୃତ୍ୱ ପକ୍ଷରୁ VCK ସଭାପତି ଥୋଲ୍. ଥିରୁମାଭାଲାଭନଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ ପାଇଁ ଚିଠି ଲେଖାଯାଇଛି। VCK ର ବରିଷ୍ଠ ନେତାମାନେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ବୈଠକ କରିସାରିଛନ୍ତି। ଯଦି VCK ସମର୍ଥନ ଜଣାଏ, ତେବେ ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ମାର୍ଗ ସମ୍ପୂର୍ଣ୍ଣ ପ୍ରଶସ୍ତ ହୋଇଯିବ।
ଆଜି ହୋଇପାରେ ଶପଥ ଗ୍ରହଣ!
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଯଦି ଅପରାହ୍ନ ୪ଟାରେ VCK ସମର୍ଥନ ଘୋଷଣା କରେ, ତେବେ ଆଜି ସନ୍ଧ୍ୟାରେ ହିଁ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର।
ଗତ ଏପ୍ରିଲ ୨୩ରେ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନମିଳିବା ପରେ ତାମିଲନାଡୁରେ ଏଭଳି ସ୍ଥିତି ଉପୁଜିଛି। ବିଜୟଙ୍କ ଦଳର ଏହି ସଫଳତା ରାଜ୍ୟର ପାରମ୍ପରିକ ରାଜନୀତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।




