ନୂଆଦିଲ୍ଲୀ: ଭାରତୀୟ ଇକ୍ବିଟି ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନଙ୍କ ଅଂଶ କ୍ରମାଗତ ଭାବେ କମିବାରେ ଲାଗିଛି। ଚଳିତବର୍ଷ ଏପ୍ରିଲ ମାସରେ ଏହା ୧୪.୭ ପ୍ରତିଶତକୁ ଖସିଆସିଥିବା ବେଳେ, ଗତ ୧୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତର ବୋଲି ଜେଏମ୍ ଫାଇନାନ୍ସିଆଲ୍ସର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ୨୦୧୨ ଜୁନ୍ ପରେ ପ୍ରଥମ ଥର ପାଇଁ ଏଫ୍ଆଇଆଇଙ୍କ ଅଂଶ ଏତେ ନିମ୍ନସ୍ତରକୁ ଆସିଛି।
ଅନ୍ୟପଟେ, ଘରୋଇ ସଂସ୍ଥାଗତ ନିବେଶକ (ଡିଆଇଆଇ)ମାନଙ୍କ ନିବେଶ ଅଂଶ ବଢ଼ି ୧୮.୯ ପ୍ରତିଶତରେ ପହଞ୍ଚିଛି। ବିଶେଷକରି ମ୍ୟୁଚୁଆଲ୍ ଫଣ୍ଡ କମ୍ପାନିମାନଙ୍କର ବୃଦ୍ଧିଶୀଳ ନିବେଶ ଏଥିରେ ମୁଖ୍ୟ ଭୂମିକା ନେଇଛି। ଏସ୍ଆଇପି ବା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍ରେ ନିରନ୍ତର ନିବେଶ ବଢ଼ିବାରୁ ଘରୋଇ ପୁଞ୍ଜି ବଜାରକୁ ସମର୍ଥନ ମିଳୁଛି।
ରିପୋର୍ଟ ଅନୁସାରେ, ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବାରୁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଘରୋଇ ନିବେଶକମାନେ ପୂରଣ କରୁଛନ୍ତି। ନିଫ୍ଟିର ୪୧ଟି ଷ୍ଟକ୍ରେ ଡିଆଇଆଇମାନେ ନିଜ ଅଂଶ ବଢ଼ାଇଥିବା ବେଳେ, ଗତ ତିନି ବର୍ଷ ଧରି ନିଫ୍ଟି-୫୦ର ୪୧ଟି ଷ୍ଟକ୍ରେ ଏଫ୍ଆଇଆଇମାନେ ନିଟ୍ ବିକ୍ରେତା ଭାବେ ରହିଛନ୍ତି।
ତଥାପି କେତେକ କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। କ୍ୟାପିଟାଲ୍ ଗୁଡ୍ସ କ୍ଷେତ୍ରକୁ ୨୮୯୪ ନିୟୁତ ଡଲାର ଏବଂ ଟେଲିକମ୍ କ୍ଷେତ୍ରକୁ ୨୯୧୪ ନିୟୁତ ଡଲାରର ବିଦେଶୀ ନିବେଶ ଆସିଛି। ସେହିପରି ଏପ୍ରିଲ ମାସରେ ଶକ୍ତି କ୍ଷେତ୍ରରେ ସର୍ବାଧିକ ୫୮୪ ନିୟୁତ ଡଲାର ବିଦେଶୀ ପୁଞ୍ଜି ପ୍ରବେଶ କରିଥିବା ବେଳେ, କ୍ୟାପିଟାଲ୍ ଗୁଡ୍ସ କ୍ଷେତ୍ରକୁ ୪୫୫ ନିୟୁତ ଡଲାର ଓ ଧାତବ କ୍ଷେତ୍ରକୁ ୧୨୬ ନିୟୁତ ଡଲାର ନିବେଶ ଆସିଛି।
ବଜାର ବିଶେଷଜ୍ଞମାନଙ୍କ ମତରେ, ଘରୋଇ ନିବେଶକଙ୍କ ବୃଦ୍ଧିଶୀଳ ଭୂମିକା ଭାରତୀୟ ଶେୟର ବଜାରକୁ ଅଧିକ ସ୍ଥିରତା ଦେଉଛି, ଯାହା ବିଦେଶୀ ପୁଞ୍ଜି ଉପରେ ନିର୍ଭରତାକୁ କମାଇବାରେ ସାହାଯ୍ୟ କରୁଛି।




