ଭୁବନେଶ୍ୱର: ରାଜଧାନୀର ପୁରୁଣା ବିମାନ ବନ୍ଦର ରୋଡ୍‌ରେ ଦୀର୍ଘଦିନ ଧରି ଲାଗିଥିବା ବ୍ୟାରିକେଡ୍‌ ଶୀଘ୍ର ହଟିପାରେ। ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ପୂର୍ତ୍ତ ବିଭାଗ ଏହାକୁ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ଏହି ବ୍ୟାରିକେଡ୍‌ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ସହ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ୁଥିବା ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ବ୍ୟାରିକେଡ୍‌ ହଟାଇବା ପାଇଁ ପୂର୍ତ୍ତ ବିଭାଗ ଗୃହ ବିଭାଗକୁ ଚିଠି ଲେଖିଥିବା ବେଳେ, କମିଶନରେଟ୍ ପୋଲିସ ଏବଂ ଟ୍ରାଫିକ ଡିସିପିଙ୍କ ଠାରୁ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ନେଇ ମତାମତ ମଧ୍ୟ ମାଗାଯାଇଛି। ଅଧିକାରୀମାନଙ୍କ ସୂଚନା ଅନୁସାରେ, ସ୍ଥଳ ଅନୁଧ୍ୟାନ କାର୍ଯ୍ୟ ଶେଷ ହୋଇଛି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଚାଲିଛି।

ଏହି ମାମଲାର ଆରମ୍ଭ ହୋଇଥିଲା ଭୀମପୁର ମୌଜା ନିକଟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବ୍ୟାରିକେଡ୍‌ ଦ୍ୱାରା ବେଆଇନ ଭାବେ ଅଟକାଯାଉଥିବା ଅଭିଯୋଗକୁ ନେଇ। ପ୍ରକାଶ ଚନ୍ଦ୍ର ଦାସ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଫେବୃଆରୀ ୩ରେ ଶୁଣାଣି ବେଳେ କୋର୍ଟ ବରିଷ୍ଠ ଅଧିକାରୀଙ୍କୁ ତିନି ସପ୍ତାହ ମଧ୍ୟରେ ସ୍ଥଳ ପରିଦର୍ଶନ କରି ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟାରିକେଡ୍‌ ସ୍ଥାପନ କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜିଏ ଆଣ୍ଡ ପିଜି ବିଭାଗ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମସି କମିଶନର ଓ ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ବ୍ୟାରିକେଡ୍‌ ହଟିଗଲେ ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଯାତାୟାତ ଅଧିକ ସୁବିଧାଜନକ ହେବା ସହ ସାଧାରଣ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।