କଲିକତା: ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ପ୍ରଥମ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶୁଭେନ୍ଦୁ ଅଧିକାରୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ହାଓଡ଼ାର ମନ୍ଦିରତଲା ସ୍ଥିତ ବର୍ତ୍ତମାନର ରାଜ୍ୟ ସଚିବାଳୟ ‘ନବାନ୍ନ’ଠାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।
ବିଜେପି ସରକାର ସଚିବାଳୟକୁ ପୁରୁଣା ଐତିହାସିକ ସ୍ଥାନ ‘ରାଇଟର୍ସ ବିଲଡିଂ’କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ତେବେ ସେଠାରେ ମରାମତି କାମ ଚାଲିଥିବାରୁ, ବର୍ତ୍ତମାନ ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ‘ନବାନ୍ନ’ରୁ ହିଁ କାର୍ଯ୍ୟ କରିବେ।
୨୦୧୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଇଟର୍ସ ବିଲଡିଂରୁ ସଚିବାଳୟକୁ ନବାନ୍ନକୁ ସ୍ଥାନାନ୍ତର କରିଥିଲେ। ଏବେ ଶୁଭେନ୍ଦୁ ସରକାର ପୁଣିଥରେ ସେହି ପୁରୁଣା ପରମ୍ପରାକୁ ଫେରାଇ ଆଣିବାକୁ ଯାଉଛନ୍ତି।
ସକାଳ ୧୦:୩୦ରେ ବିଜେପି ରାଜ୍ୟ ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ସହ ଆଲୋଚନା। ମଧ୍ୟାହ୍ନ ୧୨ଟାରେ ପ୍ରଥମ କ୍ୟାବିନେଟ୍ ବୈଠକ, ଯେଉଁଠାରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ଚୂଡ଼ାନ୍ତ ହେବ। ଏହାପରେ ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ପୋଲିସ କମିଶନରମାନଙ୍କ ସହ ତିନୋଟି ପୃଥକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର ମମତା ବାନାର୍ଜୀଙ୍କ ଶୈଳୀରେ ନୁହେଁ, ବରଂ ‘ସାମୂହିକ ନେତୃତ୍ୱ’ (Collective Leadership) ଆଧାରରେ ଶାସନ ପରିଚାଳନା କରିବେ। ବଙ୍ଗଳାର ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ସେ ପ୍ରଥମ ଦିନରୁ ହିଁ ପ୍ରଶାସନିକ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି।




