ଧରାକୋଟ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଉଗ୍ର ରୂପ ଧାରଣ କରୁଛି। ଶେଷରେ ପାଣି ଟୋପାଏ ପାଇଁ ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନସାଧାରଣ। ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ଦୀର୍ଘ ଦିନର ଜଳ ସମସ୍ୟାକୁ ନେଇ ଆଜି ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି।
ଗ୍ରାମବାସୀମାନେ ପାନୀୟ ଜଳ ଯୋଗାଣ ଦାବିରେ ଜାହାଡ଼ା-ସୋରଡ଼ା ରାସ୍ତା ଅବରୋଧ କରିଛନ୍ତି। ପ୍ରତିବାଦକାରୀମାନେ ରାସ୍ତା ଉପରେ କାଠଗଣ୍ଡି ରଖିବା ସହ ଟାୟାର ଜାଳି ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଫଳରେ ଏହି ପ୍ରମୁଖ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମୋଟର ଅଟକି ରହିଛି।
ଗାଁରେ ଦୀର୍ଘ ଦିନ ହେଲା ପାନୀୟ ଜଳର ଘୋର ଅଭାବ ଲାଗି ରହିଛି। ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିକଳ୍ପ ଜଳ ଉତ୍ସ ଗୁଡ଼ିକ ଶୁଖି ଯାଉଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ଗାଁରେ ପାନୀୟ ଜଳର ସ୍ଥାୟୀ ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ଏହି ରାସ୍ତାରୋକ ଜାରି ରହିବ। ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି।




