ଭୁବନେଶ୍ୱର: ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଭୁବନେଶ୍ୱରସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କକୁ ଉଲ୍ଲେଖ କରିଥିଲେ।
ସେ କହିଥିଲେ, “ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ପୂର୍ବ ଭାରତର ଅବିଚଳ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ।” ଇତିହାସର ଉଦାହରଣ ଦେଇ ସେ କହିଥିଲେ ଯେ, ବାରମ୍ବାର ଆକ୍ରମଣ ସତ୍ତ୍ୱେ ଭାରତର ସନାତନ ସଂସ୍କୃତି ଓ ଆସ୍ଥା କେବେ ବି ନଷ୍ଟ ହୋଇନାହିଁ। ଭକ୍ତି ଓ ଆସ୍ଥାର ଶକ୍ତିରେ ମନ୍ଦିରଗୁଡ଼ିକ ପୁନର୍ଜୀବିତ ହୋଇଛି।
୧୯୫୧ ମସିହାରେ ସୋମନାଥ ମନ୍ଦିରର ପୁନଃନିର୍ମାଣକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୃଢ ସଙ୍କଳ୍ପ ଓ ଜାତୀୟ ଚେତନା ଯୋଗୁଁ ଏହା ସମ୍ଭବ ହୋଇଥିଲା।
ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବୀରାସତ ଭି’ ଦୃଷ୍ଟିକୋଣ ଅନୁଯାୟୀ ଓଡ଼ିଶା ସରକାର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୩୩୦ କୋଟି ଟଙ୍କା ଓ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ପରିଚିତ କରାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
‘ଅରେଞ୍ଜ ଇକୋନୋମି’ ଅର୍ଥାତ୍ ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଗୁଜରାଟର ପ୍ରଭାସ ପାଟଣସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମର ସଜୀବ ପ୍ରସାରଣ ମଧ୍ୟ ଦେଖାଯାଇଥିଲା।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂହ, ସଂସ୍କୃତି ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ଓ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।




