ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ‘ବିକଶିତ ଭାରତ-ନିଯୁକ୍ତି ଓ ଜୀବିକା ମିସନ ଗ୍ୟାରେଣ୍ଟି (ଗ୍ରାମୀଣ)’ ବା ‘ଭିବି ଜି-ରାମ-ଜି’ ଯୋଜନା ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବ। ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଉପା ସରକାର ଅମଳରୁ ଚାଲୁଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)କୁ ପର୍ଯ୍ୟାୟକ୍ରମେ ବଦଳାଇ ଏହି ନୂଆ ଯୋଜନା ଲାଗୁ କରାଯିବ।

କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି ଯେ, ଏହି ଯୋଜନା ଗ୍ରାମୀଣ ଶ୍ରମିକ ଓ ଚାଷୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିବ। ଏହା ମାଧ୍ୟମରେ ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ସହ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ।

ନୂଆ ଯୋଜନାରେ ଗ୍ରାମୀଣ ପରିବାରମାନଙ୍କୁ ବର୍ଷକୁ ୧୨୫ ଦିନର ନିଶ୍ଚିତ କାମ ମିଳିବ। ମନରେଗାରେ ଏହି ସୀମା ୧୦୦ ଦିନ ଥିଲା। ସରକାର କହିଛନ୍ତି ଯେ, ଯୋଜନାର ପୂର୍ଣ୍ଣ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ମନରେଗାର ସମସ୍ତ ବ୍ୟବସ୍ଥା ପୂର୍ବଭଳି ଚାଲିବ। ଅଧୂରା ପ୍ରକଳ୍ପଗୁଡ଼ିକର କାମ ଆସନ୍ତା ଜୁଲାଇ ୧ ପର୍ଯ୍ୟନ୍ତ ଜାରି ରହିବ।

ଶ୍ରୀ ଚୌହ୍ବାନଙ୍କ ଅନୁସାରେ, ଯୋଜନା ପରିବର୍ତ୍ତନ ସମୟରେ କୌଣସି ଶ୍ରମିକ କାମରୁ ବଞ୍ଚିତ ନ ହେଉଥିବାକୁ ସୁନିଶ୍ଚିତ କରାଯିବ। ରାଜ୍ୟଗୁଡ଼ିକୁ ନୂଆ ବ୍ୟବସ୍ଥା ପାଇଁ ୬ ମାସ ସମୟ ଦିଆଯାଇଛି। ତେବେ ଜୁଲାଇ ୧ରୁ ସମସ୍ତ ରାଜ୍ୟକୁ ‘ଭିବି ଜି-ରାମ-ଜି’ ଯୋଜନା ଅଧୀନରେ ପାଣ୍ଠି ଯୋଗାଇ ଦିଆଯିବ।

ଚଳିତ ବର୍ଷର କେନ୍ଦ୍ରୀୟ ବଜେଟରେ ଏହି ଯୋଜନା ପାଇଁ ୯୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟମାନଙ୍କ ଅଂଶୀଦାରିତା ସହ ମୋଟ ବ୍ୟୟ ୧.୫୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।

ଏହି ଯୋଜନାରେ କେବଳ ଶ୍ରମମୂଳକ କାମ ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଜଳ ସଂରକ୍ଷଣ, ଗ୍ରାମୀଣ ସଡ଼କ, ପୋଲ, କଲଭର୍ଟ, ବିଦ୍ୟାଳୟ, ଅଙ୍ଗନବାଡ଼ି କୋଠା ଏବଂ କୃଷି ଭିତ୍ତିକ ପ୍ରକଳ୍ପଗୁଡ଼ିକ ଏହାର ଅଂଶ ହେବ। ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ କୃଷକ ଉତ୍ପାଦକ ସଂଗଠନ (FPO)ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

ସରକାର ଏହା ମଧ୍ୟ କହିଛନ୍ତି ଯେ, ଶ୍ରମିକଙ୍କୁ ସମୟରେ ମଜୁରି ନ ମିଳିଲେ କ୍ଷତିପୂରଣ ଦିଆଯିବ ଏବଂ କାମ ଯୋଗାଇ ପାରିନଥିଲେ ବେକାରୀ ଭତ୍ତା ପ୍ରଦାନ କରାଯିବ।