ନୂଆଦିଲ୍ଲୀ: ପ୍ରଶାନ୍ତ ପିସେ ଓମାନର ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ବର୍ତ୍ତମାନ ସେ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।
୧୯୯୫ ବ୍ୟାଚର ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ଶ୍ରୀ ପିସେ ଖୁବଶୀଘ୍ର ନିଜର ନୂତନ ଦାୟିତ୍ୱ ଗ୍ରହଣ କରିବେ। ସେ ମସ୍କାଟରେ ୧୯୯୩ ବ୍ୟାଚ୍ର IFS ଅଧିକାରୀ ଗୋଦାବର୍ତ୍ତୀ ଭେଙ୍କଟ ଶ୍ରୀନିବାସଙ୍କ ସ୍ଥାନ ନେବେ।
ତାଙ୍କର ପ୍ରଥମ ବିଦେଶ ନିଯୁକ୍ତି ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ କାଇରୋରେ ହୋଇଥିଲା। ଏହାପରେ ୨୦୦୪ ପର୍ଯ୍ୟନ୍ତ ସେ ତ୍ରିପୋଲିରେ କାର୍ଯ୍ୟ କରିଥିଲେ। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ ଉପ-ସଚିବ ଭାବେ ସେ ରୁଷିଆ, ସିଆଇଏସ (CIS) ଏବଂ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବିଭାଗ ସମ୍ଭାଳିଥିଲେ।
ବିଦେଶରେ ପ୍ରତିନିଧିତ୍ୱ:
ଟୋକିଓ: ୨୦୦୬-୨୦୦୯ ପର୍ଯ୍ୟନ୍ତ କାଉନସେଲର (ରାଜନୈତିକ)।ମରିସସ୍: ୨୦୧୩ ପର୍ଯ୍ୟନ୍ତ ଡେପୁଟି ହାଇକମିଶନର।ଟ୍ୟୁନିସିଆ: ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରଦୂତ।ଇରାକ: ଜୁନ୍ ୨୦୨୧ରେ ଇରାକର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ।ସ୍ଲୋଭେନିଆ: ମାର୍ଚ୍ଚ ୨୦୨୪ରେ ସ୍ଲୋଭେନିଆର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।
ବର୍ତ୍ତମାନ ସେ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ପ୍ରବାସୀ ନୀତି ଏବଂ କଲ୍ୟାଣ) ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ଫେବୃଆରୀ ୨୦୨୬ରେ ଦୁବାଇରେ ଅନୁଷ୍ଠିତ ଅଷ୍ଟମ ‘ଆବୁଧାବି ଡାଏଲଗ୍’ରେ ସେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଏହା ବ୍ୟତୀତ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନବମ ଉଚ୍ଚସ୍ତରୀୟ ‘ମାଇଗ୍ରେସନ ଏବଂ ମୋବିଲିଟି’ ସଂଳାପରେ ମଧ୍ୟ ସେ ଅଧ୍ୟକ୍ଷତା କରିଥିଲେ।ଓମାନ ସହିତ ଭାରତର ରଣନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବାରେ ତାଙ୍କର ଅଭିଜ୍ଞତା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।




