ନୂଆଦିଲ୍ଲୀ: ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG ୨୦୨୬ କୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ପେପର ଲିକ୍ ଓ ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ମେ’ ୩ରେ ଅନୁଷ୍ଠିତ ପରୀକ୍ଷାକୁ ରଦ୍ଦ କରିଛି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ପୁନଃ ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ।
ଏହି ନିଷ୍ପତ୍ତି ପରେ ଦେଶର ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ପଡିବ। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ଏବଂ ଅସନ୍ତୋଷ ସୃଷ୍ଟି ହୋଇଛି।
ରାଜସ୍ଥାନ ସମେତ କିଛି ରାଜ୍ୟରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଫାଁସ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିବାଦ ତୀବ୍ର ହୋଇଥିଲା। ଏହା ପରୀକ୍ଷାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲା।
NTA ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମେ’ ୮ରେ ମାମଲାର ଯାଞ୍ଚ ଓ ତଦନ୍ତ ପାଇଁ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ଏଜେନ୍ସିର ପ୍ରାରମ୍ଭିକ ରିପୋର୍ଟ ଆଧାରରେ ବର୍ତ୍ତମାନର ପରୀକ୍ଷା ପ୍ରକ୍ରିୟାକୁ ଜାରି ରଖିବା ସମ୍ଭବ ନୁହେଁ ବୋଲି ନିଷ୍କର୍ଷ ନିଆଯାଇଛି। ଜାତୀୟ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପରୀକ୍ଷା ବାତିଲ କରାଯାଇଥିବା NTA ସ୍ପଷ୍ଟ କରିଛି।
ସମଗ୍ର ଘଟଣାର ତଦନ୍ତ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ହସ୍ତାନ୍ତର କରାଯାଇଛି। ପେପର ଲିକ୍ ନେଟୱାର୍କର ପରିସର, ଏଥିରେ କିଏ କିଏ ସମ୍ପୃକ୍ତ ଥିଲେ ଏବଂ ପରୀକ୍ଷା କେନ୍ଦ୍ର କିମ୍ବା ଏଜେନ୍ସି ସହ କୌଣସି ଯୋଗସୂତ୍ର ରହିଥିଲା କି ନାହିଁ, ସେସବୁ ଦିଗରେ ତଦନ୍ତ ହେବ।
ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରି NTA କହିଛି ଯେ, ପୁନଃ ପରୀକ୍ଷା ପାଇଁ ପୁଣିଥରେ ଆବେଦନ କରିବାକୁ ପଡିବ ନାହିଁ। ପୂର୍ବରୁ ଦାଖଲ ହୋଇଥିବା ପଞ୍ଜୀକରଣ ତଥ୍ୟ, ପରୀକ୍ଷା କେନ୍ଦ୍ର ଚୟନ ଓ ଅନ୍ୟ ସୂଚନା ପୂର୍ବବତ୍ ରହିବ। ଏହାସହ ଅତିରିକ୍ତ କୌଣସି ପରୀକ୍ଷା ଫି ମଧ୍ୟ ନିଆଯିବ ନାହିଁ।
ପୁନଃ ପରୀକ୍ଷାର ତାରିଖ, ନୂତନ ଆଡମିଟ୍ କାର୍ଡ ଜାରି ସମୟସୂଚୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଖୁବ୍ ଶୀଘ୍ର NTAର ଅଧିକୃତ ପ୍ଲାଟଫର୍ମରେ ପ୍ରକାଶ ପାଇବ। ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଅସତ୍ୟ ଓ ଅସମ୍ପୂର୍ଣ୍ଣ ସୂଚନାରୁ ଦୂରେ ରହିବାକୁ NTA ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରିଛି।




