ଅନୁଗୋଳ: ଅନୁଗୋଳ ଜିଲ୍ଲାର ପାମ୍ପାସର ବନଖଣ୍ଡ ଅନ୍ତର୍ଗତ ନୂଆସାହି ନୂଆପଡ଼ା ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ପ୍ରାଣୀ ଉଦ୍ଧାର ଅଭିଯାନ ଦେଖିବାକୁ ମିଳିଛି। ଜଙ୍ଗଲ ମଧ୍ୟରେ ଖୋଳାଯାଇଥିବା ଏକ ଖାତରେ ପଡ଼ିଯାଇଥିବା ଏକ ହାତୀ ଛୁଆକୁ ବନ ବିଭାଗ କର୍ମଚାରୀମାନେ ସଫଳତାର ସହ ଉଦ୍ଧାର କରିଛନ୍ତି।

ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏହି ଅପରେସନ ପରେ ହାତୀ ଛୁଆଟି ନିଜ ପଲ ସହ ମିଶିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ସେହି ଅଞ୍ଚଳ ଦେଇ ଗତି କରୁଥିଲେ। ଏହି ସମୟରେ ବନ ବିଭାଗ ପକ୍ଷରୁ ଖୋଳାଯାଇଥିବା ଏକ ଖାତ ମଧ୍ୟରେ ହାତୀ ଛୁଆଟି ଅସାବଧାନତା ବଶତଃ ଖସି ପଡ଼ିଥିଲା। ଛୁଆଟି ଖାତରୁ ବାହାରି ନପାରିବାରୁ ହାତୀ ପଲ ଦୀର୍ଘ ସମୟ ଧରି ସେଠାରେ ଘେରି ରହିଥିଲେ, ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ପ୍ରଥମେ ବାଧା ସୃଷ୍ଟି ହୋଇଥିଲା।

ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଖାତ ଭିତରେ ପାଣି ପକାଇ ହାତୀ ଛୁଆଟିକୁ ଉପରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ତାହା ସଫଳ ହୋଇନଥିଲା। ପରେ ଏକ ଜେସିବି (JCB) ମେସିନ୍ ଅଣାଯାଇ ଖାତର ଏକ ପାର୍ଶ୍ୱକୁ ଖୋଳାଯାଇଥିଲା। ସମସ୍ତଙ୍କ ସମନ୍ୱିତ ପ୍ରୟାସ ଫଳରେ ହାତୀ ଛୁଆଟିକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

ଉଦ୍ଧାର ହେବା ପରେ ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ସେ ସଙ୍ଗେ ସଙ୍ଗେ ନିକଟରେ ଅପେକ୍ଷା କରିଥିବା ନିଜ ହାତୀ ପଲ ପାଖକୁ ଚାଲିଯାଇଥିଲା। ଛୁଆଟିକୁ ପାଇବା ପରେ ହାତୀ ପଲ ପୁଣି ଗଭୀର ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି। ବନ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ସଫଳ ଅପରେସନ ଶେଷ ହୋଇଛି।