ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଚାରିଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି।

ମଙ୍ଗଳବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ପିଣ୍ଟୁ ସେଠୀ ନାମକ ଜଣେ ଯୁବକ ନିଜ ମୋଟରସାଇକେଲ୍‌ରେ କାମ ପାଇଁ କୁକୁଡ଼ାଖଣ୍ଡି ଅଭିମୁଖେ ଯାଉଥିଲେ। ଏହି ସମୟରେ ବେନ୍ଦାଳିଆ ଗ୍ରାମ ବାହାରେ ଥିବା ଏକ ପୋଲ ନିକଟରେ ଭାଲୁ ଓରଫ ଶିବଶଙ୍କର ସାହୁ ଏବଂ ତାଙ୍କର ତିନିଜଣ ସହଯୋଗୀ ପିଣ୍ଟୁଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ପିଣ୍ଟୁଙ୍କ ଦୁଇ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଆକ୍ରମଣ ପରେ ପିଣ୍ଟୁଙ୍କ ସାନଭାଇ ତାଙ୍କୁ ତୁରନ୍ତ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ (AIIMS) କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସପି ଏବଂ ସଦର ଏସଡିପିଓ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳୁ ଭ୍ରମଣରେ ବାହାରିଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି।ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ହିଂସାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।