ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଅଭାବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଶ୍ୱାସନ ଦେଇଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଛି। ସେ କହିଛନ୍ତି ଯେ, ଦେଶରେ ୬୯ ଦିନ ପାଇଁ ଅଶୋଧିତ ତେଲ ଓ ଏଲ୍‌ଏନ୍‌ଜି ଉପଲବ୍ଧ ରହିଥିବା ବେଳେ ୪୫ ଦିନର ଆବଶ୍ୟକତା ପୂରଣ ପାଇଁ ଏଲ୍‌ପିଜି ମଧ୍ୟ ଗଚ୍ଛିତ ଅଛି।

ଶିଳ୍ପ ସଂଘ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶ୍ରୀ ପୁରୀ କହିଥିଲେ ଯେ, ଦେଶରେ ଇନ୍ଧନ ଓ ରନ୍ଧନ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ତୁରନ୍ତ କୌଣସି ଅଭାବ ସୃଷ୍ଟି ହେବାର ଆଶଙ୍କା ନାହିଁ। ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ସରକାର ସତର୍କ ଭାବେ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।

ରନ୍ଧନ ଗ୍ୟାସ ଉପଲବ୍ଧତା ବଢ଼ାଇବା ପାଇଁ ଏଲ୍‌ପିଜି ଉତ୍ପାଦନରେ ମଧ୍ୟ ବୃଦ୍ଧି ଆଣାଯାଇଛି। ପୂର୍ବରୁ ଦେଶରେ ପ୍ରତିଦିନ ୩୫ରୁ ୩୬ ହଜାର ଟନ୍‌ ଏଲ୍‌ପିଜି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଇ ୫୪ ହଜାର ଟନ୍‌ କରାଯାଇଛି। ସରକାର ଦେଶର କୌଣସି ସ୍ଥାନରେ ଗ୍ୟାସ କିମ୍ବା ଇନ୍ଧନ ସଂକଟ ନ ହେବାକୁ ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ପୁରୀ ସ୍ପଷ୍ଟ କରିଛନ୍ତି।

ଅର୍ଥନୀତି ଉପରେ ବୃଦ୍ଧି ପାଉଥିବା ଚାପ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବାକୁ ଆହ୍ୱାନ କରିଥିଲେ। ଏହା ପରେ ଲୋକମାନଙ୍କ ମନରେ ଇନ୍ଧନ ଅଭାବ ନେଇ ଚିନ୍ତା ବଢ଼ିଥିଲା। ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା କୌଣସି ଆତଙ୍କ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଦେଶର ଆର୍ଥିକ ଭାର କମାଇବା ପାଇଁ ସଚେତନତାମୂଳକ ପଦକ୍ଷେପ।

ଶ୍ରୀ ପୁରୀ କହିଛନ୍ତି ଯେ, ନୀତି ନିର୍ମାତା ଓ ସାଧାରଣ ନାଗରିକମାନେ ମିଶି ଦେଶର ଆର୍ଥିକ ଚାପ କିପରି କମାଇପାରିବେ, ସେଥିପାଇଁ ଚିନ୍ତା କରିବା ଆବଶ୍ୟକ। ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ ବ୍ୟବହାର କମାଇବା, ମେଟ୍ରୋ ଓ ସାର୍ବଜନୀନ ପରିବହନ ବ୍ୟବହାର ବଢ଼ାଇବା, କାର ପୁଲିଂ, ଇଭି ଯାନ ବ୍ୟବହାର ଏବଂ ଘରୁ କାମ କରିବା ଭଳି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରୁଛନ୍ତି।

ଏହାସହ ସୁନା କ୍ରୟ ଓ ବିଦେଶ ଭ୍ରମଣକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶର ବିଦେଶୀ ମୁଦ୍ରା ସଞ୍ଚୟ କରିବା ଏବଂ ଆର୍ଥିକ ସ୍ଥିରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ସରକାର ମନେ କରୁଛନ୍ତି।